ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଲଗାଣ ବର୍ଷା ମଧ୍ୟରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ବାଣୀବିହାର ନିକଟରେ ଥିବା ଖୋଲା ଡ୍ରେନରେ ଭାସିଯାଇଥିବା ୩୫ ବର୍ଷୀୟ ଅନୀଲ ସିଂଙ୍କୁ ଠାବ କରିବା ପାଇଁ ଗତକାଲି ଅପରାହ୍ନରୁ ଚାଲିଥିବା ବ୍ୟାପକ ଉଦ୍ଧାର ଅଭିଯାନ ୧୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ସଫଳ ହୋଇନାହିଁ। ଆଜି ପୁଣି ଉଦ୍ଧାରକାରୀ ଟିମ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିବ।
ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ପ୍ରବଳ ବର୍ଷା ସମୟରେ ବାଣୀବିହାର ନିକଟ ଖୋଲା ଡ୍ରେନରେ ଅନୀଲ ସିଂ ଭାସିଯାଇଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀ ଓ ପ୍ରଶାସନକୁ ଖବର ଦେଇଥିଲେ। ଏହାପରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।
ତେବେ ପ୍ରବଳ ପାଣିର ସ୍ରୋତ, କାଦୁଅ ଓ ଡ୍ରେନରେ ବଢ଼ିଥିବା ଜଳଚାପ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଛି। ରାତିସାରା ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଅନୀଲଙ୍କର କୌଣସି ସନ୍ଧାନ ମିଳିନାହିଁ। ଘଟଣାକୁ ୧୮ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଅନୀଲ ସିଂଙ୍କ ପତ୍ତା ନ ମିଳିବାରୁ ପରିବାର ସଦସ୍ୟଙ୍କ ଚିନ୍ତା ବଢ଼ିଚାଲିଛି। ଅନ୍ୟପଟେ ଘଟଣାସ୍ଥଳରେ ଶହଶହ ଲୋକଙ୍କ ଭିଡ଼ ଜମିଥିବା ବେଳେ ସମସ୍ତଙ୍କ ନଜର ଉଦ୍ଧାରକାରୀ ଦଳର ପରବର୍ତ୍ତୀ କାର୍ଯ୍ୟକଳାପ ଉପରେ ରହିଛି। ଆଜି ପୁଣି ଉଦ୍ଧାର ଅଭିଯାନ ଜୋରଦାର କରାଯିବ ବୋଲି ସୂଚନା ମିଳିଛି।
















Leave a Reply