ଆସୁଛନ୍ତି ମାଆ । ଧରାବତରଣ କରିବେ ଜଗତଜନନୀ । ରାଜ୍ୟର ଶକ୍ତିପୀଠ ଗୁଡ଼ିକରେ ଆରମ୍ଭ ହୋଇ ଯାଇଛି ଷୋଡଶ ଦିନାତ୍ମକ ପୂଜା ବିଧି । କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଓ ଗଡଖାଇର ଅଧିଷ୍ଠାତ୍ରୀ ଦେବୀ ମା’ ଗଡଚଣ୍ଡୀଙ୍କ ପୀଠରେ ସହସ୍ର କୁମ୍ଭାଭିଷେକ, ଘଟ ସ୍ଥାପନ କରାଯାଇ ମା” ଙ୍କୁ ଆବାହନ କରାଯାଇଛି । ନଦୀରୁ ଜଳ କଳସ ଆଣି ମା’ଙ୍କ ପୀଠରେ ସ୍ଥାପନା କରାଯାଇଛି । ମୂଳାଷ୍ଟମୀ ବା ଦେବୀ ଉତ୍ଥାପନରେ ଆରମ୍ଭ ହୋଇଛି ଶରତକାଳୀନ ଷୋଡଶ ଉପଚାର ପୂଜା । ମହାନଦୀ କୂଳ ଗଡଗଡିଆ ଘାଟରେ ଘଣ୍ଟ ଘଣ୍ଟା ବାଦ୍ୟ ସହ ସପ୍ତତୀର୍ଥଙ୍କୁ ଆବାହନ କରାଯାଇଥିଲା ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ପରିବେଶ ।
ଯଥାବିଧି ପୂଜାର୍ଚ୍ଚନା ଶେଷ ହେବା ପରେ, ପୀଠକୁ କଳସ ନିଆଯାଇଥିଲା । ଏହା ପରେ ମା’ଙ୍କ ମହାସ୍ନାନ କରାଯାଇ ରୀତିନୀତି ଅନୁଯାୟୀ ଷୋଡଶ ଉପଚାର ପୂଜା ଆରମ୍ଭ କରିବା ପାଇଁ ପ୍ରକ୍ରିୟା ଆଗକୁ ବଢ଼ିଥିଲା । ଆଜିଠାରୁ ପ୍ରତି ଦିନ ଚଣ୍ଡୀପାଠ, ହୋମଯଜ୍ଞ ସହିତ ବିଜୟା ଦଶମୀ ପର୍ଯ୍ୟନ୍ତ ଉଭୟ ଶକ୍ତି ପୀଠରେ ୧୬ ଦିନ ଧରି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ଦୁଇ ଅଧିଷ୍ଠାତ୍ରୀ ଦେବୀ । କଟକ ଚଣ୍ଡୀ ଓ ଗଡଚଣ୍ଡୀଙ୍କ ପୀଠରେ ଉଭୟ ସୁନା ବେଶରେ ଭୂଷିତ ହେବେ ମା’ । ଆସନ୍ତାକାଲି ମା’ କଟକ ଚଣ୍ଡୀ ଭୁବନେଶ୍ୱରୀ ଓ ଗଡଚଣ୍ଡୀ ସରସ୍ୱତୀ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଉଭୟ ପୀଠରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଓ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।












Leave a Reply