ଗଣେଶ ମଣ୍ଡପରେ ଶୋଇଥିଲେ, ଛିଡ଼ି ପଡ଼ିଲା ବିଦ୍ୟୁତ୍ ତାର; କରେଣ୍ଟ ଲାଗି ୪ ମୃତ, ୩ ଆହତ

ମଣ୍ଡଲା: ମଧ୍ୟପ୍ରଦେଶର ମଣ୍ଡଲା ଜିଲ୍ଲା ନୈନପୁର ଥାନା ଅଞ୍ଚଳର ହୀରାପୁର ଗାଁରେ ଅଭାବନୀୟ ଅଘଟଣ। ଗଣେଶ ମଣ୍ଡପରେ ଶୋଇଥିବା ବେଳେ ବିଦ୍ୟୁତ୍ ଆଘାତରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୩ ଜଣ ଆହତ ହୋଇଥିବାବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମଣ୍ଡଲା ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଛି। ଶୁକ୍ରବାର ଗଣେଶ ମୂର୍ତ୍ତି ବିସର୍ଜନ ପରେ ମଣ୍ଡପକୁ ଫେରିଥିବା ସଦସ୍ୟମାନେ ପୂଜା ପେଣ୍ଡାଲରେ ଶୋଇପଡ଼ିଥିଲେ। ଶନିବାର ଭୋର୍ ପ୍ରାୟ ସାଢ଼େ ୫ଟା ସମୟରେ ଘଟିଥିଲା ଏହି ଅଘଟଣ।

ନୈନପୁର ଥାନା ଇନଚାର୍ଜ ମାନସାରାମ ୱାଗେନ୍‌ଙ୍କ ସୂଚନା ଅନୁସାରେ, ମଣ୍ଡପରେ ସଦସ୍ୟମାନେ ଶୋଇଥିବା ସମୟରେ ସର୍ଟ ସର୍କିଟ୍ ଯୋଗୁଁ ଆମ୍ପ୍ଲିଫାୟରର ସଂଯୋଗ ତାର ଛିଡ଼ି ସେମାନଙ୍କ ଉପରେ ପଡ଼ିଥିଲା। ଲଗାଣ ବର୍ଷା ଯୋଗୁଁ ମାଟି ଓଦା ଥିବାରୁ ବିଦ୍ୟୁତ୍ କରେଣ୍ଟ ସହଜରେ ସଂଚାରିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ବିଦ୍ୟୁତ୍ ଦୁର୍ଘଟଣାରେ ବୀରେନ୍ଦ୍ର ଭଙ୍ଗର (୫୫), କୃଷ୍ଣ କୁମାର ଭମ୍ବ୍ରେ (୧୯), ରବି (୨୪) ଏବଂ ଜୈନ ଭମ୍ବ୍ରେ (୩୯)ଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial