ଅକ୍ଷର ବ୍ୟୁରୋ: ଆଜି ‘ବିଶ୍ୱ ପଖାଳ ଦିବସ’ । ଓଡ଼ିଆମାନଙ୍କ ପଖାଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ରୂପେ ଓଡ଼ିଶାରେ ପାଳନ କରାଯାଏ । ଏହି ଦିନ ଦେଶ ବିଦେଶରେ ଥିବା ଓଡ଼ିଆଙ୍କୁ ପଖାଳ ଖାଉଥିବା ଦେଖିବାକୁ ମିଳେ । ଏହି ଦିନଟିକୁ ସ୍ମରଣ କରିବା ପାଇଁ ଓଡ଼ିଶାର ବଡ଼ ବଡ଼ ହୋଟଲ୍ରେ ମଧ୍ୟ ପଖାଳ ପସରା ମେଲିଥାଏ । ପଖାଳ ସହ ପ୍ରତ୍ୟେକ ଓଡ଼ିଆଙ୍କର ରହିଛି ଅକାଟ୍ୟ ସମ୍ପର୍କ । ଏହା ହେଉଛି ଓଡ଼ିଶାର ପାରମ୍ପରିକ ଖାଦ୍ୟ । ଗରିବ ହେଉ କି ଧନୀ ପଖାଳ କଂସା ସହିତ ରହିଛି ସମସ୍ତଙ୍କର ନିବିଡ଼ ସମ୍ବନ୍ଧ । କହିବା ବାହୁଲ୍ୟ ଯେ, ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଗରିବଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମସ୍ତେ ପଖାଳ ଖାଆନ୍ତି । ଏପରିକି ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ବି ପଖାଳ ଭୋଗ ଲାଗେ । ମହାମାରୀ କରୋନା ସମୟରେ ମଧ୍ୟ ପଖାଳରେ ଥିବା ରୋଗପ୍ରତିରୋଧକାରୀ ଶକ୍ତି ଅନେକ ମାତ୍ରାରେ ଲୋକଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥିବା କୁହାଯାଉଛି । ପଖାଳକୁ ଏବେ ଯେଉଁ ଗବେଷଣାତ୍ମକ ସ୍ୱୀକୃତି ମିଳିଛି ତାହା ନିଶ୍ଚିତ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ।
‘ପଖାଳଖିଆ ଓଡ଼ିଆ’ ଯେଉଁ ଅପବାଦ ଆଗରୁ ରହିଆସିଥିଲା, ଏହି ଗବେଷଣା ତାହା ଦୂର କରିବ ବୋଲି ଆଶା କରାଯାଏ । ପଖାଳ ସମ୍ପର୍କରେ ଏମ୍ସ ଭୁବନେଶ୍ୱର ଗବେଷଣାର ଯେଉଁ ତଥ୍ୟ ଆସିଛି, ତାହା ଓଡ଼ିଶାର ଲୋକଙ୍କ ପଖାଳଖିଆ ଅଭ୍ୟାସକୁ ଅଧିକ ଉତ୍ସାହିତ କରିବ । ତେବେ ଏବେ ଖାଲି ଗାଁ ନୁହେଁ ସହରବାସୀଙ୍କ ପଖାଳ ଖାଇବାର କ୍ରେଜ୍ ଦିନକୁ ଦିନ ବଢିଚାଲିଛି । ୨୦୧୧ରେ ପଖାଳ ଦିବସ ଆରମ୍ଭ ହେବାଠାରୁ ବର୍ତ୍ତମାନର ଯୁବପିଢ଼ିଙ୍କ ସହ ଅନ୍ୟାନ୍ୟ ବର୍ଗର ଲୋକ ମଧ୍ୟରେ ପଖାଳ ଖାଇବାର କ୍ରେଜ୍ ଅଧିକ ଦେଖୁବାକୁ ମିଳୁଛି । ଖାଲି ସେତିକି ନୁହେଁ ସ୍ବସ୍ତି ପ୍ରିମିୟମ୍, ମେ’ ଫେୟାର, ହୋଟେଲ୍ କ୍ରାଉନ୍, କ୍ରିଷ୍ଟଲ୍ କ୍ରାଉନ୍, କଳିଙ୍ଗ ଅଶୋକ, ପ୍ରାଚୀ ଭଳି ବଡ ବଡ ତାରକା ହୋଟେଲ ଖରାଦିନ ପାଇଁ ସ୍ୱତନ୍ତ୍ର ପଖାଳର ବ୍ୟବସ୍ଥା କରୁଛନ୍ତି । ଏପରି କି ବିଦେଶୀ ଖାଦ୍ୟଠାରୁ ପଖାଳର ମୂଲ୍ୟ ଅଧିକ ରହୁଛି ।
ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’କୁ ନେଇ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପଖାଳ ଖାଇଲେ ବଢୁଛି ରୋଗ ପ୍ରତିରୋଧକ ଶକ୍ତି । ଭୁବନେଶ୍ୱର ଏମ୍ସ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏଭଳି ତଥ୍ୟ ଜଣାପଡ଼ିବା ପରେ, ଏହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ‘ପଖାଳ’ର ତୋରାଣିରେ ଥିବା ଫ୍ୟାଟି ଏସିଡ୍ ଅନେକ ଉପକାରୀ ବୋଲି ଏହି ଗବେଷଣାରୁ ଜଣାପଡ଼ିଛି । ପଖାଳରେ ମଧ୍ୟ ରହିଛି ପ୍ରଚୁର ପରିମାଣରେ ଭିଟାମିନ-ବି ୧୨, ଭିଟାମିନ- କେ । ଏମ୍ସ ଭୁବନେଶ୍ୱର ମାଇକ୍ରୋ ବାୟୋଲଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବି.ରାମାଦାସ ‘ପଖାଳ’ ଉପରେ ଗବେଷଣା କରି ଏଭଳି ମନ୍ତବ୍ୟ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ ପ୍ରକାର ବାସି ‘ପଖାଳ’ ଓ ତୋରାଣି ସଂଗ୍ରହ କରି ସେଗୁଡିକ ଉପରେ ଗବେଷଣା କରାଯାଇଥିଲା । ସେ କହିଛନ୍ତି, “ବାସି ପଖାଳରେ ରୋଗ ପ୍ରତିରୋଧକ ଶକ୍ତି ରହିଛି । ଶରୀରରେ ରୋଗ ସହ ଲଢେଇ କରିବାରେ ଏହା ସହାୟକ ହେବ । ତେବେ ହୋଟେଲରେ ପରଷା ଯାଉଥିବା ପଖାଳ ନୁହେଁ ବରଂ ଘରେ ରାତିରେ ପ୍ରସ୍ତୁତ କରାଯାଇଥିବା ପଖାଳ, ଶରୀର ପାଇଁ ଅଧିକ ହିତକର” ।
ରାତିରେ ଭାତକୁ ପଖାଳିବା ଦ୍ୱାରା କିଛି ସମୟ ପରେ ଲାକ୍ଟୋ-ବାସିଲସ ନାମକ ଜୀବାଣୁ ସୃଷ୍ଟି ହୋଇଥାଏ । ଯାହା ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଡାକ୍ତର ବାଲମୁର୍ଗନ୍ ରାମଦାସଙ୍କ ନେତୃତ୍ୱରେ ୮ ଜଣିଆ ଡାକ୍ତରୀ ଟିମ୍ ଏ ନେଇ ଗବେଷଣା କରିଥିଲେ । ଜଣେ ଦିନକୁ ଅଧ ଲିଟର ବା ୫ଶହ ମିଲିଲିଟର ତୋରାଣି ପିଇଲେ, ଏହା ଶରୀର ପାଇଁ ହିତକର ବୋଲି ଗବେଷଣାରୁ ଜଣାପଡିଛି । କରୋନା ବିରୋଧୀ ଲଢ଼େଇ ପାଇଁ ମଧ୍ୟ ପଖାଳ ଲାଭଦାୟକ ହୋଇପାରେ । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହି ‘ପଖାଳ’ ଅନେକ ଉପାଦେୟ ବୋଲି ଗବେଷଣାର ନିଷ୍କର୍ଷ କହୁଛି । ଏହି ତୋରାଣି ପିଇବା ଦ୍ୱାରା ଶରୀରରେ ଅପପୁଷ୍ଟିର ଅଭାବ ଦୂର ହୋଇପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି ।












Leave a Reply