ଭୁବନେଶ୍ୱର: ରାଜଧାନୀରେ ପୁଣି ଗାଡ଼ିରେ ଅଗ୍ନିକାଣ୍ଡ। ଏକାମ୍ର କାନନ ରାସ୍ତାରେ ବିଳମ୍ବିତ ରାତିରେ ଏକ ଟ୍ରକ୍ରେ ହଠାତ୍ ନିଆଁ ଲାଗିଯିବାରୁ ଟ୍ରକ୍ର ସାମ୍ନା ଭାଗ ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇ ମୈତ୍ରୀବିହାର ଥାନା ପୋଲିସ ଓ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଟ୍ରକ୍ରେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହା ଦୁର୍ଘଟଣା ନା କେହି ଜାଣିଶୁଣି ନିଆଁ ଲଗାଇଛି, ସେନେଇ ପୋଲିସ ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଏକାମ୍ର କାନନ ରାସ୍ତାରେ ରାତିରେ ଟ୍ରକ୍ଟି ଥିବାବେଳେ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଟ୍ରକ୍ର ସାମ୍ନା ଭାଗକୁ ବ୍ୟାପିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ମୈତ୍ରୀବିହାର ଥାନା ପୋଲିସ ଓ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଅଗ୍ନି ନିର୍ବାପନ କରିଥିଲେ। ଟ୍ରକ୍ରେ କୌଣସି ମାଲ୍ପତ୍ର ନଥିବାରୁ ମାଲ୍ପତ୍ରର କ୍ଷତି ହୋଇନାହିଁ।
ଅନ୍ୟପକ୍ଷରେ, ଏହି ଅଗ୍ନିକାଣ୍ଡ ପଛର କାରଣକୁ ନେଇ ସନ୍ଦେହ ଦେଖାଦେଇଛି। ଟ୍ରକ୍ରେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା ନା କେହି ଜାଣିଶୁଣି ନିଆଁ ଲଗାଇଥିଲା, ତାହା ଜଣାପଡ଼ିନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଯାଞ୍ଚ ଆରମ୍ଭ କରିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଗତ ଏକ ମାସ ମଧ୍ୟରେ ଭୁବନେଶ୍ୱରରେ ତିନିରୁ ଅଧିକ ଗାଡ଼ିରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି କ୍ରମରେ ଏକାମ୍ର କାନନ ରାସ୍ତାରେ ଟ୍ରକ୍ରେ ଅଗ୍ନିକାଣ୍ଡ ଘଟଣା ପୋଲିସର ଚିନ୍ତା ବଢ଼ାଇଛି। ତେବେ ପୂର୍ବ ଘଟଣାଗୁଡ଼ିକ ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୋଲିସର ତଦନ୍ତ ପରେ ହିଁ ଅଗ୍ନିକାଣ୍ଡର ପ୍ରକୃତ କାରଣ ସାମ୍ନାକୁ ଆସିବ।
















Leave a Reply