ଅକ୍ଷର ବ୍ୟୁରୋ: ରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି । ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି । କିମ୍ବା ନୂତନ ନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ । ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ପ୍ରବର୍ତ୍ତନ କରାଯାଇଛି । ଏହା ମାଧ୍ୟମରେ ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବେ ସ୍ଵୀକାର କରାଯାଇଛି । ଏହି ସେସ୍ରୁ ଆସୁଥବା ଆୟ ମଡେଲ ଡି-ଆଡିକ୍ସନ କେନ୍ଦ୍ରସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ । ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ ଏବଂ ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧିପାଇବ । IMFL ଓ ଦେଶୀ ମଦ (CL) ଉପରେ ଅବକାରୀ ଶୁଳ୍କ ମଧ୍ୟ ବଢ଼ାଯାଇଛି । Minimum Guaranteed Quantity (MGQ) ପ୍ରଣାଳୀରୁ Minimum Guaranteed Excise Revenue (MGER) ପ୍ରଣାଳୀକୁ ଆଣାଯାଇଛି । ଏହା ଦ୍ୱାରା ସରକାରୀ ରାଜସ୍ଵ ସୁରକ୍ଷିତ ହେବା ସହିତ ବ୍ୟବସାୟୀ ମାନଙ୍କୁ କେବଳ ପରିମାଣ ଲକ୍ଷ୍ୟ ପୂରଣ ପାଇଁ ବିକ୍ରି ବଢ଼ାଇବାର ଚାପ ହ୍ରାସ ପାଇବ ।
ଏହା “କୁଚିଆ” ବିକ୍ରୟ ପ୍ରଥାକୁ ରୋକିବାରେ ସହାୟକ ହେବ । ଏହି ନୀତି ଅନୁଯାୟୀ ରାଜ୍ୟରେ ନୂତନ OFF, CL କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହିଁ । ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂତନ ON ଦୋକାନ ଖୋଲିବା ନିମନ୍ତେ ଅନୁମୋଦନ ଦିଆଯିବ ନାହିଁ, କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍ ଓ କ୍ଲବ୍ରେ ଛାଡ଼ ରହିବ । ବଡ଼ କଥା ହେଉଛି ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ସମ୍ମାନ ଦେଇ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ । ଏହା ସହିତ ଘରକୁ ମଦ ପହଞ୍ଚାଇବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ । Out-Still (OS) ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ଆଧୁନିକୀକରଣ, ଉନ୍ନତ ପ୍ୟାକେଜିଂ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଯନ୍ତ୍ରପାତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । FSSAI ସାର୍ଟିଫିକେସନ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ଅନିବାର୍ଯ୍ୟ କରାଯିବ ।
ନିର୍ଦ୍ଧାରିତ ସମୟ ସୀମାରେ ଆଧୁନିକୀକରଣ ସମ୍ପୂର୍ଣ୍ଣ କରୁଥିବା ୟୁନିଟ୍ ମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯିବ । ସରକାର ENA ଗତିବିଧୂ ନିରୀକ୍ଷଣ ଓ ଉତ୍ପାଦନରୁ ବିକ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ ବୋତଲକୁ ଟ୍ରାକ୍ କରିବା ପାଇଁ Track & Trace ପ୍ରଣାଳୀ ପ୍ରବର୍ତ୍ତନ କରିବାକୁ ସିଦ୍ଧାନ୍ତ ନେଇଛନ୍ତି । ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ଗୁଡ଼ିକୁ CCTV ନିରୀକ୍ଷଣ ଅଧୀନରେ ଆଣାଯିବ ଏବଂ ଏହାକୁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ସମ୍ପର୍କିତ ଜିଲ୍ଲା କାର୍ଯ୍ୟାଳୟ ସହ ସଂଯୋଜିତ କରାଯିବ । ଏହା ସହିତ ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାର ଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନବ ସମ୍ବଳ ମାଧ୍ୟମରେ ସୁଦୃଢ଼ ଓ ଉନ୍ନତ କରାଯିବ ।












Leave a Reply