ଆସନ୍ତା ୧୦ ଯାଏଁ କାଳବୈଶାଖୀ ପ୍ରଭାବ; ଆଜି ପାଇଁ ୭ ଜିଲ୍ଲାକୁ ପବନ ଏବଂ ବଜ୍ରପାତ ଆଶଙ୍କା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ।

ଅକ୍ଷର ବ୍ୟୁରୋ: ରାଜ୍ୟରେ କମୁନି କାଳବୈଶାଖୀ କୋପ । ପାଣିପାଗ ବିଭାଗର ଆକଳନ ଅନୁସାରେ କାଳବୈଶାଖୀ ପ୍ରଭାବ ଆସନ୍ତା ୧୦ ଯାଏ ରହିବ । ସପ୍ତାହେ ପର୍ଯ୍ୟନ୍ତ ତାତି ବିଶେଷ ବଢ଼ିବନି । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜର କେତେକ ସ୍ଥାନ ସହ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଝଡ଼ ବର୍ଷା ସହ ବିଜୁଳି ଓ ଘଡ଼ିଘଡ଼ି ନେଇ ୨୦ ଜିଲ୍ଲାକୁ ଚେତାବନୀ ଦିଆଯାଇଛି । ଏହି ସ୍ଥାନରେ ୩୦ରୁ ୪୦ କିମି ପବନ ହୋଇପାରେ । ୭ ଜିଲ୍ଲାକୁ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ପବନ ଏବଂ ବଜ୍ରପାତ ଆଶଙ୍କା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୋମବାର ଅପରାହ୍ନରେ ବି ଭୟାନକ ରୂପ ଦେଖାଇଲା କାଳବୈଶାଖୀ । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡରେ ନିର୍ଧୁମ ବର୍ଷିଲା କୁଆପଥର । ପାଟଣାଗଡ଼, ବେଲପଡ଼ା, ଖପ୍ରାଖୋଲରେ କିଲୋମିଟର କିଲୋମିଟର ପିଚୁ ରାସ୍ତା କୁଆପଥର ଚାଦର ତଳେ ଧଳା ହୋଇଗଲା । ଯୁଆଡ଼େ ଦେଖିବ କୁଆପଥର । କିଛି ସମୟ ପାଇଁ ଲାଗିଲା-ଯେମିତି ପାଟଣାଗଡ଼ରେ କାଶ୍ମୀର ଭଳି ବରଫପାତ ହେଉଛି । ଅନେକ ସ୍ଥାନରେ କୁଆପଥର ମାଡ଼ରେ କ୍ଷୟକ୍ଷତି ବି ହୋଇଛି । ରାସ୍ତାରେ ଓ ଖୋଲା ଆକାଶ ତଳେ ଥିବା ଲୋକେ ନାକେଦମ ହୋଇଛନ୍ତି ।ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ବି କାଳବୈଶାଖୀ କୋପ ଦେଖାଇଛି । ଦଶପଲ୍ଲା ଲଙ୍କାପୋଡ଼ି ତୋରଣରୁ ରାବଣ ମୁଣ୍ଡ ଉଡ଼ିଯାଇଛି । ଗଛ ଭାଙ୍ଗିବାରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା । ଭୁବନେଶ୍ୱରରେ ବି ବର୍ଷା ସାଙ୍ଗକୁ ବଜ୍ରପାତ ଥରାଇଛି । କଟକ, ବାଲେଶ୍ୱର, ଅନୁଗୁଳ, ବାରିପଦା, ସମ୍ବଲପୁର, ଭବାନୀପାଟଣା, ଜଗତସିଂହପୁର, ଖୋର୍ଦ୍ଧା, ନବରଙ୍ଗପୁର, ରାଉରକେଲା, ବରଗଡ଼ରେ ବି କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)