ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି; ୧୩ ତାରିଖ ପରେ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଆକଳନ ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ତାଉ ଦେଖାଇଛି ତାତି । ଖରା ସାଙ୍ଗକୁ ଗୁଳିଗୁଳିରେ ଘାଣ୍ଟି ହେଉଛନ୍ତି ଲୋକେ । ଏବେ ଗରମ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି । ଆସନ୍ତା ୧୧ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଶ୍ରୀଲଙ୍କା ନିକଟସ୍ଥ ଗଲ୍ଫ ଅଫ ମନାର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଏହି ଆକଳନ କରିଛି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୧୩ ବା ୧୪ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୧୩ ତାରିଖ ପରେ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଜଣାପଡିବ । ତେବେ ୧୪ ତାରିଖ ଯାଏ ରାଜ୍ୟରେ ତାତି ଅପେକ୍ଷାକୃତ କମ୍ ରହିବ ବୋଲି ସେ ଆକଳନ କରିଛନ୍ତି ।

ରବିବାର କାଳବୈଶାଖୀ ପ୍ରଭାବରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀ ଭଳି ସ୍ଥାନରେ ଝଡ଼ବର୍ଷା ଆଶଙ୍କା ଅଛି । ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ୧୧, ୧୨ ଓ ୧୩ ତାରିଖରେ ବି କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଶନିବାର ରାଜ୍ୟର ସବୁଠି ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ବଲାଙ୍ଗୀରରେ ୩୯.୩, ସୋନପୁରରେ ୩୮.୫, ତାଳଚେରରେ ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)