ଅକ୍ଷର ବ୍ୟୁରୋ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତିଙ୍କୁ ଓଡ଼ିଶା ମାଟିର ଅନନ୍ୟ ଗୌରବ, ସମଗ୍ର ରାଷ୍ଟ୍ରର ପ୍ରେରଣା ଏବଂ ଅଦମ୍ୟ ସଂକଳ୍ପର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଭାରତୀୟ ଗଣତନ୍ତ୍ରର ଶକ୍ତିର ଜୀବନ୍ତ ଉଦାହରଣ
ଜନ୍ମଦିନ ଅବସରରେ ଜାରି କରିଥିବା ଶୁଭେଚ୍ଛା ବାର୍ତ୍ତାରେ ମୋହନ ମାଝୀ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଜୀବନ ଯାତ୍ରା ଭାରତୀୟ ଗଣତନ୍ତ୍ରର ଶକ୍ତି ଏବଂ ଦେଶର ମାତୃଶକ୍ତିର ସର୍ବୋଚ୍ଚ ବିଜୟର ପ୍ରତୀକ। ସେ କହିଛନ୍ତି ଯେ, ସମସ୍ତ ସଂଘର୍ଷ ଓ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ଦ୍ରୌପଦୀ ମୁର୍ମୁ ଯେଉଁଭଳି ଭାବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିଛନ୍ତି, ତାହା କୋଟି କୋଟି ଭାରତୀୟଙ୍କ ମନରେ ନୂଆ ଆତ୍ମବିଶ୍ୱାସ ଓ ଆଶାର ସଞ୍ଚାର କରିଛି। ରାଷ୍ଟ୍ରପତିଙ୍କ ସହଜ, ସରଳ ଏବଂ ସ୍ନେହପୂର୍ଣ୍ଣ ବ୍ୟକ୍ତିତ୍ୱର ପ୍ରଶଂସା କରିଛନ୍ତି। ମାଟି ପ୍ରତି ଦ୍ରୌପଦୀ ମୁର୍ମୁଙ୍କ ନିବିଡ଼ ଆତ୍ମୀୟତା ଓ ସାଧାରଣ ଜୀବନଶୈଳୀ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଆଦର୍ଶ।
ମୋହନ ମାଝୀ କହିଛନ୍ତି ଯେ, ଜଣେ ସାଧାରଣ ଆଦିବାସୀ ପରିବାରରୁ ଦେଶର ସର୍ବୋଚ୍ଚ ପଦବୀ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁଙ୍କ ଯାତ୍ରା ସମଗ୍ର ଜାତି ପାଇଁ ପ୍ରେରଣାର ଏକ ଅଦ୍ୱିତୀୟ ଉଦାହରଣ। ତାଙ୍କ ସଂଘର୍ଷମୟ ଜୀବନ, ନିଷ୍ଠା, ପରିଶ୍ରମ ଓ ସମର୍ପଣ ଆଗାମୀ ପିଢ଼ି ପାଇଁ ଏକ ଅନୁକରଣୀୟ ଦୃଷ୍ଟାନ୍ତ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଷ୍ଟ୍ରପତିଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ମଙ୍ଗଳମୟ ଜୀବନ କାମନା କରିଛନ୍ତି।













Leave a Reply