‘ଛୁଆ ଚୋର’ ସନ୍ଦେହରେ ପିଟିପିଟି ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ୫ ଅଭିଯୁକ୍ତ ଗିରଫ

ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ବହୁଚର୍ଚ୍ଚିତ ‘ଛୁଆ ଚୋର’ ସନ୍ଦେହରେ ପିଟିପିଟି ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଦୀର୍ଘ ପାଞ୍ଚ ବର୍ଷ ପରେ ଏହି ମାମଲାରେ ସାମିଲ ଥିବା ଆଉ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଘସିପୁରା ପୁଲିସ।

ସୂଚନା ଅନୁସାରେ, ୨୦୨୧ ମସିହାରେ ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ପଠାଣଡିହି ଗାଁରେ ଜଣେ ବ୍ୟକ୍ତିଙ୍କୁ ‘ଛୁଆ ଚୋର’ ସନ୍ଦେହରେ ଗାଁ ଲୋକେ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ। ମୃତକ ଜଣକ ହେଲେ ବିରଗୋବିନ୍ଦପୁର ପଞ୍ଚାୟତ ସାରଙ୍ଗବାହାଳି ଗାଁର କୁନା ମୁଣ୍ଡା। ଘଟଣା ପରେ କୁନା ମୁଣ୍ଡାଙ୍କ ସ୍ତ୍ରୀ ଘସିପୁରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ପ୍ରଥମ ପର୍ଯ୍ୟାୟରେ ୨ ଜଣଙ୍କୁ ଗିରଫ କରିଥିଲା। ତେବେ ତଦନ୍ତ ଜାରି ରହିଥିବାବେଳେ ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ଖୋଜ ଚାଲିଥିଲା।

ଗତକାଲି ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ପଠାଣଡିହି ଗାଁରେ ଚଢ଼ାଉ କରିଥିଲା। ଏହି ଅଭିଯାନ ସମୟରେ ଘଟଣାରେ ପ୍ରମୁଖ ଭୂମିକା ନେଇଥିବା ୫ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ କହିଛି, ମାମଲାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି। ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିବା ଏହି ମବ୍ ଲିଞ୍ଚିଂ ଘଟଣାରେ ପରବର୍ତ୍ତୀ ସମୟରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)