ଅକ୍ଷର ବ୍ୟୁରୋ: ଅନୁଗୁଳ ଜିଲ୍ଲାରେ ପୁଣି ଥରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ସକାଳ ସମୟରେ ଶୌଚ ପାଇଁ ଘରୁ ବାହାରିଥିବା ଜଣେ ବ୍ୟକ୍ତିଙ୍କୁ ଏକ ଦନ୍ତା ହାତୀ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ଅଧୀନ ଡିହମାଳ ଗ୍ରାମରେ ଘଟିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ସକାଳୁ ଉକ୍ତ ବ୍ୟକ୍ତି ଶୌଚ ପାଇଁ ଘରୁ ବାହାରିଥିବା ବେଳେ ହଠାତ୍ ଏକ ଦନ୍ତା ହାତୀ ସମ୍ମୁଖକୁ ଆସିଥିଲା। କିଛି ବୁଝିବା ପୂର୍ବରୁ ହାତୀଟି ତାଙ୍କ ଉପରେ ଆକ୍ରମଣ କରିଥିଲା। ବ୍ୟକ୍ତିଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ। ପରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଘଟଣା ପରେ ବନ ବିଭାଗ ଅଞ୍ଚଳରେ ନଜରଦାରି ବଢ଼ାଇଥିବାବେଳେ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ବିଶେଷ କରି ଜଙ୍ଗଲ ନିକଟକୁ ଏକାକୀ ନଯିବା ଓ ହାତୀର ଗତିବିଧି ସମ୍ପର୍କରେ ସଚେତନ ରହିବାକୁ କୁହାଯାଇଛି। ଦନ୍ତା ହାତୀର ଚଳପ୍ରଚଳ ଉପରେ ବନ ବିଭାଗ ନଜର ରଖିଥିବା ସୂଚନା ମିଳିଛି। ଅନୁଗୁଳ ଜିଲ୍ଲାରେ ବାରମ୍ବାର ହାତୀ-ମଣିଷ ସଂଘର୍ଷ ଘଟଣା ସାମ୍ନାକୁ ଆସୁଥିବାବେଳେ ଏହି ନୂଆ ଘଟଣା ପୁଣି ଥରେ ଚିନ୍ତା ବଢ଼ାଇଛି। ଏହା ବନ୍ୟଜନ୍ତୁ ସଂରକ୍ଷଣ ସହ ମଣିଷର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି।












Leave a Reply