ଅକ୍ଷର ବ୍ୟୁରୋ: ରାଜଧାନୀରେ ପୁଣି ଥରେ ବେଫିକର ଅପରାଧୀଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। କମିସନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ରାତି ଅଧରେ ଖଣ୍ଡା ଧରି ଉତ୍ପାତ ମଚାଇଛନ୍ତି ଦୁର୍ବୃତ୍ତ। ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ନିକଟସ୍ଥ ବସ୍ତି ଅଞ୍ଚଳରେ ଘଟିଥିବା ଏହି ରକ୍ତରଞ୍ଜିତ ଆକ୍ରମଣରେ ବାପ–ପୁଅ ଗୁରୁତର ଆହତ ହୋଇଥିବାବେଳେ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ କ୍ୟାପିଟାଲ ହସ୍ପିଟାଲ ପାଖ ବସ୍ତିରେ ରହୁଥିବା ଦିଲୀପ ପୃଷ୍ଟିଙ୍କ ପାନ ଦୋକାନରେ ୪ରୁ ୫ ଜଣ ଦୁର୍ବୃତ୍ତ ପହଞ୍ଚିଥିଲେ। ସେମାନେ ପ୍ରଥମେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦିଲୀପଙ୍କ ଜ୍ୱାଇଁଙ୍କ ସମ୍ପର୍କରେ ପଚାରିଥିଲେ। ଜ୍ୱାଇଁ ଘରେ ନଥିବା କଥା ଦିଲୀପ କହିବା ପରେ ଦୁର୍ବୃତ୍ତମାନେ ଉତ୍ତ୍ୟକ୍ତ ହୋଇ ତାଙ୍କ ପାନ ଦୋକାନକୁ ଭାଙ୍ଗିଚୁରି କରିଥିଲେ। ଏଥିରେ ମଧ୍ୟ ସେମାନଙ୍କ ରାଗ ଶାନ୍ତ ହୋଇନଥିଲା। ଦୁର୍ବୃତ୍ତମାନେ ଧାରୁଆ ଖଣ୍ଡାରେ ଦିଲୀପ ପୃଷ୍ଟି ଏବଂ ତାଙ୍କ ପୁଅ ରାଜେନ୍ଦ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ବାପ–ପୁଅ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୁର୍ବୃତ୍ତମାନଙ୍କ ସହ ଦିଲୀପଙ୍କ ଜ୍ୱାଇଁଙ୍କର ପୂର୍ବ ଶତ୍ରୁତା ରହିଥିଲା। ସେହି ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାର ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରି ଗିରଫ ପାଇଁ ପୁଲିସ ପଦକ୍ଷେପ ନେଇଥିବା ସୂଚନା ମିଳିଛି।













Leave a Reply