ଅକ୍ଷର ବ୍ୟୁରୋ: ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଆଜି ଦେଖିବାକୁ ମିଳିଛି ହାଇଡ୍ରାମା। ଗତକାଲି ମଞ୍ଚେଶ୍ୱର ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଠିକାଦାର ହତ୍ୟାକାଣ୍ଡରେ ନିହତ ସୁଶୀଲ କୁମାର ସିଂହଙ୍କ ମୃତଦେହକୁ ନେବା ପାଇଁ ଦୁଇ ମହିଳାଙ୍କ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ବିହାରରୁ ଆସିଥିବା ଦୁଇ ମହିଳା ନିଜକୁ ମୃତକଙ୍କ ପତ୍ନୀ ବୋଲି ଦାବି କରି ମୃତଦେହ ହସ୍ତାନ୍ତର ପାଇଁ ଜୋରଦାର ଦାବି କରୁଛନ୍ତି। ଏହାକୁ ନେଇ ଶବଗୃହ ପରିସରରେ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ଓ ଯୁକ୍ତିତର୍କ ଚାଲିଥିଲା। ମୃତକଙ୍କ ପ୍ରଥମ ସ୍ତ୍ରୀ ଓ ଅନ୍ୟପକ୍ଷରୁ ଦାବିଦାର ମହିଳାଙ୍କ ମଧ୍ୟରେ କିଏ ମୃତଦେହ ନେବେ ଏବଂ କିଏ ଶେଷକୃତ୍ୟ ସମୟରେ ମୁଖାଗ୍ନି ଦେବେ, ସେନେଇ ଟଣାଓଟରା ଲାଗି ରହିଥିଲା। ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଓ ସୁରକ୍ଷା କର୍ମୀମାନେ ହସ୍ତକ୍ଷେପ କରିଥିଲେ।
ଉଲ୍ଲେଖଯୋଗ୍ୟ, ଗତକାଲି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଠିକାଦାର ସୁଶୀଲ କୁମାର ସିଂହଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ଥିବାବେଳେ ଆଜି ମୃତଦେହକୁ ନେଇ ଉପୁଜିଥିବା ବିବାଦ ଘଟଣାକୁ ଆହୁରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଛି।












Leave a Reply