ଶୌଚ ପାଇଁ ଯାଇଥିବା ଯୁବକଙ୍କୁ ଦଳିଦେଲା ହାତୀ, ଢେଙ୍କାନାଳରେ ଚାଞ୍ଚଲ୍ୟକର ମୃତ୍ୟୁ ଘଟଣା

ଅକ୍ଷର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲାରେ ପୁଣି ଏକ ହୃଦୟବିଦାରକ ହାତୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ବଉଳପୁର ପାଟଣା ଗାଁର ଜଣେ ଯୁବକ ଶୌଚ ପାଇଁ ନଦୀକୁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୃତକ ଯୁବକଙ୍କ ନାମ କ୍ଷୀରୋଦ ଦାସ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କ୍ଷୀରୋଦ ଦାସ ନଦୀକୁ ଶୌଚ ପାଇଁ ଯାଇଥିବା ସମୟରେ ହଠାତ୍ ଏକ ବଣୁଆ ହାତୀ ତାଙ୍କ ସମ୍ମୁଖରେ ଆସିଯାଇଥିଲା। ଅଚାନକ ହାତୀ ହାବୁଡ଼ରେ ପଡ଼ିଯାଇଥିବାରୁ ସେ ପଳାଇ ପାରିନଥିଲେ। ହାତୀଟି କ୍ରୋଧିତ ହୋଇ ତାଙ୍କୁ ଗୋଡ଼ରେ ଦଳିଦେଇଥିଲା, ଯାହାରେ ସେ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ଏବଂ ବନ ବିଭାଗ କର୍ମଚାରୀମାନେ ତୁରନ୍ତ ସେଠାରେ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ଚିକିତ୍ସକମାନେ କ୍ଷୀରୋଦ ଦାସଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ସେହି ଅଞ୍ଚଳରେ ହାତୀ ଆତଙ୍କ ବୃଦ୍ଧି ପାଇଛି ଏବଂ ନିୟମିତ ଭାବେ ହାତୀ ଗାଁ ନିକଟକୁ ପଶିଆସୁଛନ୍ତି। ତେଣୁ ସୁରକ୍ଷା ବ୍ୟବସ୍ଥା ଶକ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)