ଝାରପଡ଼ା ଜେଲ୍‌ରେ ବ୍ରାଉନସୁଗାର୍‌ କାଣ୍ଡ! ନିଶାସେବନ ପରେ ୭ କଏଦୀ ଅସୁସ୍ଥ, ୩ ଗୁରୁତର

ଅକ୍ଷର ବ୍ୟୁରୋ: ଭୁବନେଶ୍ୱରର ଝାରପଡ଼ା ସ୍ୱତନ୍ତ୍ର କାରାଗାରରୁ ଏକ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଥିତ ବ୍ରାଉନସୁଗାର୍‌ ସେବନ ପରେ ୭ ଜଣ କଏଦୀ ଅସୁସ୍ଥ ହୋଇପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି। ଘଟଣା ପରେ ରାଜ୍ୟର ସବୁଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ଏହି ଜେଲ୍‌ର ସୁରକ୍ଷା ଓ ପରିଚାଳନାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି।
ଅସୁସ୍ଥ କଏଦୀମାନଙ୍କ ମଧ୍ୟରେ ସାଜିଦ୍‌ ଖାନ, ସୀମାଞ୍ଚଳ କୁଞ୍ଜ, ବିକାଶ ପାଇଟାଲ୍‌, ବାବୁଲା ପ୍ରଧାନ ଏବଂ ରୂପ ସିଂହଙ୍କ ନାମ ସାମ୍ନାକୁ ଆସିଛି। ରୂପ ସିଂହ ଜଣେ ମାଓବାଦୀ ନେତା ହୋଇଥିବାରୁ ତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଝାରପଡ଼ା ଜେଲ୍‌ରେ ରଖାଯାଇଥିଲା। ସାଜିଦ୍‌ ଖାନ ମଧ୍ୟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଜେଲ୍‌ର ସେଲ୍‌ ନମ୍ବର ୨୦, ୨୧, ୯ ଏବଂ ୧ରେ ରହୁଥିବା କଏଦୀମାନେ ହଠାତ୍‌ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ପାଟିରୁ ଲାଳ ଓ ଫେଣ ବାହାରିବା ସହ ବାରମ୍ବାର ବାନ୍ତି ହୋଇଥିଲା। ସେଲ୍‌ ଭିତରୁ ଚିତ୍କାର ଶୁଣି ୱାର୍ଡରମାନେ ଧାଇଁ ଆସିଥିଲେ ଏବଂ ତୁରନ୍ତ ଜେଲ୍‌ ଅଧୀକ୍ଷକ ଓ ଜେଲରଙ୍କୁ ଖବର ଦେଇଥିଲେ। ପରେ ଅସୁସ୍ଥ କଏଦୀମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ଚିକିତ୍ସା ସମୟରେ ୨ ଜଣଙ୍କ ସ୍ଥିତି ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଏମ୍ସ ଭୁବନେଶ୍ୱରକୁ ରେଫର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ କଏଦୀମାନେ ମାତ୍ରାଧିକ ନିଶାଦ୍ରବ୍ୟ ସେବନ କରିଥିବା ଯୋଗୁଁ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି।

ତେବେ ଏହି ଘଟଣାର ସବୁଠୁ ବଡ଼ ପ୍ରଶ୍ନ ହେଉଛି, କଡ଼ା ସୁରକ୍ଷା ବଳୟରେ ଥିବା ଝାରପଡ଼ା ସ୍ୱତନ୍ତ୍ର କାରାଗାର ଭିତରକୁ ବ୍ରାଉନସୁଗାର୍‌ ଭଳି ନିଶାଦ୍ରବ୍ୟ ପ୍ରବେଶ କଲା କିପରି? ଜେଲ୍‌ କର୍ତ୍ତୃପକ୍ଷ କିମ୍ବା ସୁରକ୍ଷା କର୍ମୀମାନେ ଏହାର ସୁରାକ୍ ପାଇପାରିଲେ ନାହିଁ କାହିଁକି? ଏହାକୁ ନେଇ ଜେଲ୍‌ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠିଛି ଏବଂ ଉଚ୍ଚସ୍ତରୀୟ ତଦନ୍ତ ଦାବି ଜୋର ଧରିଛି। ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଏବଂ ଏମ୍ସ ଭୁବନେଶ୍ୱରରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି। ଏପଟେ ଜେଲ୍‌ ଭିତରେ ନିଶାଦ୍ରବ୍ୟ ଚାଲାଣର ସମ୍ଭାବ୍ୟ ନେଟୱର୍କ ଓ ଏଥିରେ କାହାର ସମ୍ପୃକ୍ତି ରହିଛି, ସେନେଇ ତନାଘନା ଆରମ୍ଭ ହୋଇଛି। ଏହି ଘଟଣା ଜେଲ୍‌ ବ୍ୟବସ୍ଥାର ସୁରକ୍ଷା ଓ ନିରୀକ୍ଷଣ ପ୍ରଣାଳୀକୁ ନେଇ ଗୁରୁତର ଚିନ୍ତା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)