ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଟ୍ୱିଷ୍ଟ! ୧୪ ଅଭିଯୁକ୍ତଙ୍କ ନାଁରୁ ହଟିଲା ହତ୍ୟା ଦଫା

ଅକ୍ଷର ବ୍ୟୁରୋ: ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଏକ ବଡ଼ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ପୁଲିସ ଦାଖଲ କରିଥିବା ଚୂଡ଼ାନ୍ତ ଚାର୍ଜସିଟ୍‌ରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରୁ ହତ୍ୟା ଧାରା (BNS-୧୦୩) ବାଦ ଦିଆଯାଇଛି। ଏହି ପଦକ୍ଷେପ ମାମଲାକୁ ନେଇ ନୂଆ ଆଇନଗତ ଓ ରାଜନୈତିକ ଚର୍ଚ୍ଚାର ଆରମ୍ଭ କରିଛି।

ଚାର୍ଜସିଟ୍‌ ଅନୁସାରେ, ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ଦର୍ଶାଯାଇଥିବା ବିକ୍ରମ ପଣ୍ଡାଙ୍କ ସହ ପୂର୍ବତନ ମେୟର ପିଣ୍ଟୁ ଦାସ, ମଦନ ଦଳେଇ ଓ ମଳୟ ବିଷୋୟୀଙ୍କ ନାଁରୁ ମଧ୍ୟ ହତ୍ୟା ଦଫା କାଟି ଦିଆଯାଇଛି। ଏହି ୧୪ ଅଭିଯୁକ୍ତଙ୍କ ବିରୋଧରେ ଏବେ କେବଳ ସଂଗଠିତ ଅପରାଧ ସମ୍ବନ୍ଧୀୟ BNS ଧାରା ୧୧୧ ରହିଛି। ପୁଲିସ ଚାର୍ଜସିଟ୍‌ରେ ଗୁଳି ଚଳାଇଥିବା କୁରୁପତି ଭୂୟାଁ ଏବଂ ତାଙ୍କୁ ଘଟଣାସ୍ଥଳକୁ ନେଇଯାଇଥିବା ଚିଣ୍ଟୁ ପ୍ରଧାନଙ୍କ ବିରୋଧରେ ହତ୍ୟା ଧାରା ପୂର୍ବବତ୍‌ ରହିଛି। ଅର୍ଥାତ୍‌ BNS ଧାରା ୧୦୩ ଏହି ଦୁଇ ଅଭିଯୁକ୍ତଙ୍କ ଉପରେ ଅବିକଳ ରହିଛି।

ଆଇନ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, BNS ଧାରା ୧୧୧ ଅଧୀନରେ ଥିବା ସଂଗଠିତ ଅପରାଧ ମଧ୍ୟ ଅତ୍ୟନ୍ତ ଗୁରୁତର ଶ୍ରେଣୀର ଅପରାଧ। ଏହି ଧାରାରେ ମଧ୍ୟ କଠୋର କାରାଦଣ୍ଡ ଓ ଅନ୍ୟାନ୍ୟ ଦଣ୍ଡାତ୍ମକ ବ୍ୟବସ୍ଥା ରହିଥିବାରୁ, ହତ୍ୟା ଦଫା ବାଦ ହେଲେ ମଧ୍ୟ ଅଭିଯୁକ୍ତମାନେ ସମ୍ପୂର୍ଣ୍ଣ ଭାବେ ଆଇନି ଝଞ୍ଜାରୁ ମୁକ୍ତ ହୋଇନାହାନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)