ଅକ୍ଷର ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ। ଖୁଦୁପୁର ଛକରେ ବିଳମ୍ବିତ ରାତିରେ ଜଣେ ଇଲେକ୍ଟ୍ରିସିଆନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି। ମୃତକ ହେଲେ ଡେଲାଙ୍ଗ ହରିରାଜପୁର ଅଞ୍ଚଳର ମାର୍କଣ୍ଡ ବଳିୟାସିଂ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଖୁଦୁପୁର ଛକ ନିକଟରେ ମାର୍କଣ୍ଡ ବଳିୟାସିଂଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଆହତ ଅବସ୍ଥାରେ ମାର୍କଣ୍ଡ ରାସ୍ତା ଉପରେ ପଡ଼ି ଛଟପଟ ହେଉଥିବାବେଳେ ପାଟ୍ରୋଲିଂ କରୁଥିବା ପିସିଆର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ।
ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମାର୍କଣ୍ଡଙ୍କ ମୃତ୍ୟୁ ଘଟିଥିଲା। ମାର୍କଣ୍ଡ ବଳିୟାସିଂ ଏକ ଇଲେକ୍ଟ୍ରି ସବ୍ଷ୍ଟେସନରେ କାର୍ଯ୍ୟରତ ଥିଲେ। ପ୍ରାଥମିକ ତଦନ୍ତରୁ ଲାଇନ୍ ସପ୍ଲାଏକୁ କେନ୍ଦ୍ର କରି କେହି ତାଙ୍କ ଉପରେ ରାଗ ରଖି ଏହି ହତ୍ୟାକାଣ୍ଡ ଘଟାଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ସେହିପରି ପୂର୍ବଶତ୍ରୁତା ମଧ୍ୟ ହତ୍ୟାର ଏକ ସମ୍ଭାବ୍ୟ କାରଣ ହୋଇପାରେ ବୋଲି ପୋଲିସ ଅନୁମାନ କରୁଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାରେ ସମ୍ପୃକ୍ତ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାର ପ୍ରକୃତ କାରଣ ଏବଂ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଏହି ହତ୍ୟାକାଣ୍ଡ ଜଟଣୀ ଅଞ୍ଚଳରେ ଭୟ ଓ ଉତ୍ତେଜନାର ପରିବେଶ ସୃଷ୍ଟି କରିଛି।














Leave a Reply