ଅକ୍ଷର ବ୍ୟୁରୋ: ବିଦେଶରେ ଇସ୍କନ ପକ୍ଷରୁ ଅ-ତିଥିରେ ଆୟୋଜିତ ହେଉଥିବା ରଥଯାତ୍ରାକୁ ନେଇ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କଡ଼ା ଆପତ୍ତି ଉଠାଇବା ସହ ରଥଯାତ୍ରା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଦିଲ୍ଲୀ ଯାଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ହସ୍ତକ୍ଷେପ ଲୋଡ଼ିବ ବୋଲି ଘୋଷଣା କରିଛନ୍ତି।
ଗଜପତି ମହାରାଜ କହିଛନ୍ତି ଯେ, ରଥଯାତ୍ରା ସମାପ୍ତ ହେବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯିବ। ସେଠାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ସାକ୍ଷାତ କରି ବିଦେଶରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଶାସ୍ତ୍ରସମ୍ମତ ତିଥିରେ ଆୟୋଜନ କରିବା ସମ୍ପର୍କରେ ହସ୍ତକ୍ଷେପ ପାଇଁ ଅନୁରୋଧ କରାଯିବ।
ଏହାପୂର୍ବରୁ ବିଦେଶରେ ମନଇଚ୍ଛା ତାରିଖ ଓ ଅ-ତିଥିରେ ରଥଯାତ୍ରା ଆୟୋଜନ ବନ୍ଦ କରିବାକୁ ପୁରୀ ଗଜପତି ମହାରାଜା ଇସ୍କନକୁ ଅନୁରୋଧ କରିଥିଲେ। ତେବେ ଇସ୍କନ ସେହି ଅନୁରୋଧକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। କେବଳ ସେତିକି ନୁହେଁ, ଇସ୍କନର ଗଭର୍ନିଂ ବଡି କମିଶନ (GBC)ର ଅଧ୍ୟକ୍ଷ ଏହି ପ୍ରସଙ୍ଗରେ ଆଉ କୌଣସି ଆଲୋଚନା କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିବା ଜଣାପଡ଼ିଛି।
ଗଜପତି ମହାରାଜଙ୍କ ମତରେ, ଅ-ତିଥିରେ ରଥଯାତ୍ରା ଆୟୋଜନ କରିବା ଶ୍ରୀଜଗନ୍ନାଥ ସଂସ୍କୃତିର ପାରମ୍ପରିକ ନୀତିବିଧି ବିରୋଧୀ ଏବଂ ଏହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବାବେଗକୁ ଆଘାତ ଦେଉଛି। ଇସ୍କନର ଏହି ଆଭିମୁଖ୍ୟକୁ ନେଇ ବିଭିନ୍ନ ମହଲରୁ ତୀବ୍ର ବିରୋଧ ପ୍ରକାଶ ପାଉଥିବାବେଳେ, ଶ୍ରୀମନ୍ଦିର ପରିଚାଳନା କମିଟି ଏହି ପ୍ରସଙ୍ଗକୁ ଜାତୀୟ ସ୍ତରରେ ଉଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି।














Leave a Reply