ଅକ୍ଷର ବ୍ୟୁରୋ: ଅଣସରରେ ବିରାଜମାନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଆଜି ପବିତ୍ର ଅଣସର ଏକାଦଶୀ ଅବସରରେ ଦଶମୂଳ ମୋଦକ ଲାଗି ଓ ଖଳିଲାଗି ସମେତ ବିଭିନ୍ନ ପାରମ୍ପରିକ ନୀତି ସମ୍ପନ୍ନ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ଶ୍ରୀମନ୍ଦିର ପରମ୍ପରାରେ ବିଶ୍ୱାସ ରହିଛି।
ଗତକାଲି ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଥିବା ପବିତ୍ର ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ କରାଯାଇଥିଲା। ଆଜି ଏହା ମହାପ୍ରଭୁଙ୍କ ନିକଟରେ ଲାଗି କରାଯିବ। ଦଶମୂଳ ମୋଦକ ସେବନ ପରେ ଶ୍ରୀବିଗ୍ରହମାନଙ୍କ ଜ୍ୱର ସମ୍ପୂର୍ଣ୍ଣ ଉପଶମ ହୋଇଥାଏ ବୋଲି ପରମ୍ପରା ରହିଛି। ଆସନ୍ତାକାଲି ଅଣସର ଦ୍ୱାଦଶୀରେ ଦଇତାପତି ସେବାୟତମାନେ ଆଦ୍ୟ ସେବକ ଗଜପତି ମହାରାଜଙ୍କୁ ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତାର ସନ୍ଦେଶ ପ୍ରଦାନ କରିବେ। ଏହା ଅଣସର ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା।
ସ୍ନାନପୂର୍ଣ୍ଣିମା ପରଠାରୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିଶ୍ରାମ କରୁଥିବା ଚତୁର୍ଦ୍ଧାମୂର୍ତ୍ତି ଗତକାଲି ଦଶମୀ ତିଥିରେ ଶଯ୍ୟା ତ୍ୟାଗ କରିଥିଲେ। ଦଶମୀରେ ଶ୍ରୀବିଗ୍ରହମାନେ ଅଣସର ଘରେ ଚକାରେ ବିଜେ ହୋଇଥିଲେ। ପଞ୍ଚମୀରେ ଫୁଲୁରି ତେଲ ଲାଗି ଏବଂ ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଶ୍ରୀଅଙ୍ଗରେ ଓଷ ଲାଗି ନୀତି ପରେ ମହାପ୍ରଭୁଙ୍କ ଜ୍ୱର ଧୀରେ ଧୀରେ ଭଲ ହୋଇଥିବା ବିଶ୍ୱାସ କରାଯାଏ।
ଆଜି ଖଳିଲାଗି ଏକାଦଶୀ ଅବସରରେ ଦଇତା ଓ ପତିମହାପାତ୍ର ସେବାୟତମାନେ ତିନି ବାଡ଼ରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ। ଏହି ଚନ୍ଦନରେ କର୍ପୂର, କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ। ସେହିପରି ଆଜି ମହାପ୍ରଭୁ ବାରଲାଗି ଖଣ୍ଡୁଆପାଟ ପରିଧାନ କରିବା ସହ ପୁଣିଥରେ ତୁଳସୀ ଲାଗି ହେବ। ଏକାଦଶୀ ପୂର୍ବ ପର୍ଯ୍ୟନ୍ତ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କ ନିକଟରେ ଆଜିଠାରୁ ପୁଣି ତୁଳସୀ ଲାଗି ଆରମ୍ଭ ହେବ।
ଅଣସରର ୧୦ ଦିନ ଧରି ମହାପ୍ରଭୁଙ୍କ ଜ୍ୱର କାରଣରୁ ଶ୍ରୀମନ୍ଦିରରେ ଘଣ୍ଟ ଓ କାହାଳୀ ବାଜିବା ବନ୍ଦ ରହିଥିଲା। ଆଜି ଖଳିଲାଗି ନୀତି ସମୟରେ ପୁଣି ଘଣ୍ଟ ଓ କାହାଳୀ ବାଜି ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ଭକ୍ତମାନଙ୍କୁ ଜଣାଇବାର ଐତିହ୍ୟବାହୀ ପରମ୍ପରା ପାଳନ କରାଯିବ।














Leave a Reply