ଦେବଗଡ଼ରେ ପୁଣି ହାତୀ ଆକ୍ରମଣ; ଜଙ୍ଗଲକୁ ଯାଇଥିବା ବ୍ୟକ୍ତିଙ୍କ ଜୀବନ ନେଲା ଦନ୍ତା

ଅକ୍ଷର ବ୍ୟୁରୋ: ଦେବଗଡ଼ ଜିଲ୍ଲାରେ ମଣିଷ–ହାତୀ ସଂଘର୍ଷ ଥମିବାର ନାଁ ନେଉନି। ପୁଣି ଏକ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ମୃତକ ହେଲେ ତିଲେଇବଣି ବ୍ଲକ ସଡ଼ୋ ପଞ୍ଚାୟତ ଅନ୍ତର୍ଗତ ବେଲୁଆମ ଅଞ୍ଚଳର କୁଞ୍ଜବନ ତିର୍କୀ।

ସୂଚନା ଅନୁଯାୟୀ, ସକାଳ ସମୟରେ କୁଞ୍ଜବନ ତିର୍କୀ କୌଣସି କାମରେ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ବଣୁଆ ହାତୀ ତାଙ୍କ ସମ୍ମୁଖରେ ପଡ଼ି ଆକ୍ରମଣ କରିଥିଲା। ହାତୀର ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ କୁଞ୍ଜବନଙ୍କର ମୃତ୍ୟୁ ଘଟିଥିଲା।

ଘଟଣାର ସୂଚନା ପାଇବା ପରେ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଉଦ୍ଧାର କରି ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ସହ ହାତୀର ଗତିବିଧି ଉପରେ ମଧ୍ୟ ନଜର ରଖାଯାଉଛି। ଏହି ଘଟଣା ପରେ ବେଲୁଆମ ଓ ଆଖପାଖ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଜଙ୍ଗଲ ସଂଲଗ୍ନ ଗାଁଗୁଡ଼ିକର ଲୋକମାନେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ବଣୁଆ ହାତୀଙ୍କ ଉପଦ୍ରବ ରୋକିବା ପାଇଁ ବନ ବିଭାଗକୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ନିକଟ ଅତୀତରେ ଦେବଗଡ଼ ଜିଲ୍ଲାରେ ବାରମ୍ବାର ହାତୀ ଆକ୍ରମଣ ଘଟୁଥିବାରୁ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ଏବଂ ଏକାକୀ ଜଙ୍ଗଲକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)