AI ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ଛବି ବିକୃତି ମାମଲା: ଆଉ ଜଣେ ଯୁବକ ଗିରଫ

ଅକ୍ଷର ବ୍ୟୁରୋ: କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ଛବିକୁ ବିକୃତ କରି ସୋସିଆଲ୍ ମିଡିଆରେ ପ୍ରସାରଣ କରିବା ମାମଲାରେ ଭୁବନେଶ୍ୱର ସାଇବର୍ ଥାନା ପୁଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଅଞ୍ଚଳର ମନୋରଞ୍ଜନ ପ୍ରଧାନ।

ଅଭିଯୋଗ ଅନୁସାରେ, ମନୋରଞ୍ଜନ ପ୍ରଧାନ AI ପ୍ରଯୁକ୍ତି ବ୍ୟବହାର କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଫଟୋକୁ ବିକୃତ କରିଥିଲେ ଏବଂ ସାମାଜିକ ଗଣମାଧ୍ୟମରେ ତାହାକୁ ଅପମାନଜନକ ଓ ଅଶୋଭନୀୟ ଭାଷା ସହ ପୋଷ୍ଟ କରିଥିବା ଅଭିଯୋଗ ରହିଛି। ଏହି ପୋଷ୍ଟ ଭାଇରାଲ୍ ହେବା ପରେ ସାଇବର୍ ଥାନା ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ଆଧାରରେ ଭୁବନେଶ୍ୱର ସାଇବର୍ ଥାନା ପୁଲିସ ମନୋରଞ୍ଜନ ପ୍ରଧାନଙ୍କୁ ଗିରଫ କରି ଅଧିକ ପଚରାଉଚରା ଚଳାଇଛି। ପୋଲିସ ଏହି ମାମଲାରେ AI ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବା ଭିଡିଓ ଓ ଛବିର ଉତ୍ସ, ବ୍ୟବହୃତ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରୁଛି।

ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ପୂର୍ବରୁ ବିଶ୍ୱଜିତ ସାହୁ ନାମକ ଜଣେ ଯୁବକଙ୍କୁ ମଧ୍ୟ ସମାନ ଅଭିଯୋଗରେ ଭୁବନେଶ୍ୱର ସାଇବର୍ ଥାନା ପୁଲିସ ଗିରଫ କରିଥିଲା। କ୍ରମାଗତ ଦୁଇଟି ଗିରଫଦାରି ପରେ ଏହି ମାମଲାରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ତଦନ୍ତ ଜାରି ରହିଛି। ସୋସିଆଲ୍ ମିଡିଆରେ AI ପ୍ରଯୁକ୍ତିର ଅପବ୍ୟବହାର କରି ଭୁଲ୍ ତଥ୍ୟ କିମ୍ବା ବିକୃତ ସାମଗ୍ରୀ ପ୍ରସାରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସାଇବର୍ ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)