ଅକ୍ଷର ବ୍ୟୁରୋ: ସୁନ୍ଦରଗଡ଼ରେ ପୁଣି ଫୁଟିଛି ଗୁଳି। ଦିନଦ୍ୱିପ୍ରହରରେ ଦୁର୍ବୃତ୍ତଙ୍କ ଆନ୍ଧାଧୁନ ଗୁଳିମାଡ଼ରେ ଥରି ଉଠିଛି କୁତ୍ରା ଅଞ୍ଚଳ। କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡା ଜଙ୍ଗଲ ନିକଟରେ ପଥର ଚିପ୍ସ ବୋଝେଇ ଯାଉଥିବା ଏକ ଟ୍ରକ୍କୁ ଟାର୍ଗେଟ୍ କରି ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇଛନ୍ତି ଦୁର୍ବୃତ୍ତ। ସୌଭାଗ୍ୟବଶତଃ ଟ୍ରକ୍ ଚାଳକ ବନାରସି ଓରାମ ଏହି ଆକ୍ରମଣରେ ଅଳ୍ପକେ ପ୍ରାଣରକ୍ଷା ପାଇଛନ୍ତି।
ସୂଚନା ଅନୁଯାୟୀ, ଖତକୁରବାହାଲ ଅଞ୍ଚଳରୁ ପଥର ଚିପ୍ସ ବୋଝେଇ ଟ୍ରକ୍ ନେଇ ଯାଉଥିବା ବେଳେ ଦୁଇଟି ବାଇକ୍ରେ ଆସିଥିବା ୪ ଜଣ ଦୁର୍ବୃତ୍ତ ହଠାତ୍ ଟ୍ରକ୍ଟିକୁ ଅଟକାଇ ଦେଇଥିଲେ। କୌଣସି କଥାବାର୍ତ୍ତା କିମ୍ବା ସତର୍କବାଣୀ ନଦେଇ ସେମାନେ ଟ୍ରକ୍ ଉପରକୁ ଆନ୍ଧାଧୁନ ଗୁଳିମାଡ଼ ଆରମ୍ଭ କରିଥିଲେ। ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳି ଟ୍ରକ୍ରେ ବାଜିଥିଲେ ମଧ୍ୟ ଡ୍ରାଇଭର ବନାରସି ଓରାମ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ଖବର ପାଇ କୁତ୍ରା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସେଠାରୁ ଗୁଳିର ଖୋକା ଜବତ କରିଥିବାବେଳେ ଆକ୍ରମଣ ପଛରେ ଥିବା କାରଣ ନେଇ ଖୋଳତାଡ଼ ଜାରି ରହିଛି। ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍କୁ ମଧ୍ୟ ଜୋରଦାର କରାଯାଇଛି।
ଏହି ଘଟଣାକୁ ନେଇ ଟ୍ରକ୍ ମାଲିକ ଶାବନ ଲେହେରି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ପୂର୍ବରୁ ତାଙ୍କୁ ବାରମ୍ବାର ଧମକ ମିଳୁଥିଲା ଏବଂ ଆଜିର ଗୁଳିକାଣ୍ଡ ସେହି ଧମକର ପରିଣତି ହୋଇପାରେ। ତେଣୁ ଘଟଣା ପଛରେ ପୂର୍ବ ଶତ୍ରୁତା, ବ୍ୟବସାୟିକ ବିବାଦ କିମ୍ବା ସଂଗଠିତ ଅପରାଧ ଚକ୍ରର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ସବୁ ଦିଗରୁ ତଦନ୍ତ କରୁଛି। ଦିନଦ୍ୱିପ୍ରହରରେ ଏଭଳି ସାହସିକ ଗୁଳିମାଡ଼ ଘଟଣା ସୁନ୍ଦରଗଡ଼ର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। ଫେରାର ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବାବେଳେ, ଖୁବ୍ ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି ପୋଲିସ ଆଶା ପ୍ରକାଶ କରିଛି।













Leave a Reply