ଅକ୍ଷର ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରରୁ ଆଜି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଜଳଭଣ୍ଡାରର ଜଳସ୍ତର ୬୧୧ ଫୁଟ୍ ଅତିକ୍ରମ କରିବା ପରେ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସକାଳ ୧୧ଟାରେ ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଖୋଲାଯିବ, ପରେ ପରିସ୍ଥିତି ଅନୁଯାୟୀ ଅଧିକ ଗେଟ୍ ଖୋଲି ୧ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ବନ୍ୟାଜଳ ନିଷ୍କାସନ କରାଯିବ। ହୀରାକୁଦରୁ ପାଣି ଛଡ଼ାଯିବା ପରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ପାଇବ। ମହାନଦୀ ୧୦ରୁ ଅଧିକ ଜିଲ୍ଲା ଦେଇ ପ୍ରବାହିତ ହେଉଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତିକୁ ନେଇ ପ୍ରଶାସନ ସତର୍କତା ଜାରି କରିଛି। ନଦୀକୂଳବାସୀଙ୍କୁ ଅନାବଶ୍ୟକ ଭାବେ ନଦୀକୁ ନଯିବା, ବନ୍ୟାଜଳରେ ପ୍ରବେଶ ନକରିବା ଏବଂ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି।
ଗେଟ୍ ଖୋଲିବାକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ହୀରାକୁଦ ମୁଖ୍ୟବନ୍ଧ ଓ ଏହାର ଆଖପାଖ ଅଞ୍ଚଳକୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଫଳରେ ବିନା ଅନୁମତିରେ କୌଣସି ଡ୍ରୋନ୍ କିମ୍ବା ବିମାନ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଇଛି। ସୁରକ୍ଷା ଓ ଜନସାଧାରଣଙ୍କ ସୁବିଧା ପାଇଁ ପୋଲିସ, ଜଳସମ୍ପଦ ବିଭାଗ ଓ ପ୍ରଶାସନିକ ଅଧିକାରୀମାନେ ମୁତୟନ ରହିଛନ୍ତି। ଏହାପୂର୍ବରୁ ବନ୍ୟାଜଳ ନିଷ୍କାସନକୁ ନେଇ ସମ୍ବଲପୁରରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ବରିଷ୍ଠ ଅଧିକାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବନ୍ୟା ପରିଚାଳନା, ଜଳଭଣ୍ଡାରର ସମନ୍ୱିତ ପରିଚାଳନା ଏବଂ ଉଭୟ ରାଜ୍ୟ ମଧ୍ୟରେ ଜଳସ୍ତର ଓ ଜଳନିଷ୍କାସନ ସମ୍ପର୍କିତ ତଥ୍ୟର ନିୟମିତ ଆଦାନ-ପ୍ରଦାନ ଉପରେ ଆଲୋଚନା ହୋଇଥିଲା।
ତେବେ ବୈଠକରେ ଛତିଶଗଡ଼ର ସରାଡିହି ଓ ସିଓରିନାରାୟଣ ବ୍ୟାରେଜ୍ରୁ ଜଳନିଷ୍କାସନ ସମ୍ପର୍କିତ ସଠିକ୍ ତଥ୍ୟ ମିଳୁନଥିବା ପ୍ରସଙ୍ଗ ମଧ୍ୟ ଉଠିଥିଲା। ସମୟୋପଯୋଗୀ ଓ ସଠିକ୍ ତଥ୍ୟର ଅଭାବ ବନ୍ୟା ପରିଚାଳନାକୁ ପ୍ରଭାବିତ କରିପାରେ ବୋଲି ବୈଠକରେ ଚିନ୍ତା ପ୍ରକାଶ ପାଇଥିଲା। ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପରେ ମହାନଦୀ ଅବବାହିକାର ସ୍ଥିତି ଉପରେ ପ୍ରଶାସନ ୨୪ ଘଣ୍ଟିଆ ନଜର ରଖିଥିବାବେଳେ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।













Leave a Reply