ଅକ୍ଷର ବ୍ୟୁରୋ: ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆଜି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ କରାଯାଇଛି। ଜଳଭଣ୍ଡାରର ଜଳସ୍ତର ୬୧୧ ଫୁଟ୍ ଟପିବା ପରେ ସକାଳ ୧୧ଟାରେ ହୀରାକୁଦ ବନ୍ଧର ୪ଟି ଗେଟ୍ ଖୋଲାଯାଇଛି। ବାମ ପାର୍ଶ୍ୱର ୩ଟି ଓ ଡାହାଣ ପାର୍ଶ୍ୱର ୧ଟି ଗେଟ୍ ଦେଇ ପ୍ରଥମ ପର୍ଯ୍ୟାୟରେ ବନ୍ୟାଜଳ ଛଡ଼ାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଅଧିକ ଗେଟ୍ ଖୋଲି ପ୍ରାୟ ୧ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ଜଳ ନିଷ୍କାସନ କରାଯିବ ବୋଲି ସୂଚନା ମିଳିଛି। ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀର ତଳମୁଣ୍ଡରେ ଜଳପ୍ରବାହ ବୃଦ୍ଧି ପାଇବାର ଆଶଙ୍କା ରହିଛି। ମହାନଦୀ ୧୦ରୁ ଅଧିକ ଜିଲ୍ଲା ଦେଇ ପ୍ରବାହିତ ହେଉଥିବାରୁ ନଦୀକୂଳ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଗେଟ୍ ଖୋଲାଯିବାକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ହୀରାକୁଦ ମୁଖ୍ୟବନ୍ଧ ଏବଂ ଆଖପାଖ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ପ୍ରଶାସନର ଅନୁମତି ବିନା କୌଣସି ବିମାନ କିମ୍ବା ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଜାରି କରାଯାଇଛି।
ଅନ୍ୟପଟେ, ବନ୍ୟାଜଳ ନିଷ୍କାସନ ପୂର୍ବରୁ ମହାନଦୀ ବନ୍ୟା ପରିଚାଳନାକୁ ନେଇ ସମ୍ବଲପୁରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ବରିଷ୍ଠ ଅଧିକାରୀମାନେ ବନ୍ୟା ପରିଚାଳନା, ଜଳଭଣ୍ଡାରର ଫଳପ୍ରଦ ପରିଚାଳନା ଏବଂ ଜଳସ୍ତର ଓ ଜଳନିଷ୍କାସନ ତଥ୍ୟର ନିୟମିତ ଆଦାନ-ପ୍ରଦାନକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ।
ତେବେ ବୈଠକରେ ଛତିଶଗଡ଼ର ସରାଡିହି ଓ ସିଓରିନାରାୟଣ ବ୍ୟାରେଜ୍ରୁ ଜଳନିଷ୍କାସନ ସମ୍ପର୍କିତ ସଠିକ୍ ଏବଂ ସମୟୋପଯୋଗୀ ତଥ୍ୟ ମିଳୁନଥିବା ପ୍ରସଙ୍ଗ ମଧ୍ୟ ଉଠିଥିଲା। ଏହା ବନ୍ୟା ପରିଚାଳନାରେ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବାରୁ ଦୁଇ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ଓ ତଥ୍ୟ ବିନିମୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି।













Leave a Reply