ଅକ୍ଷର ବ୍ୟୁରୋ: ରାଜ୍ୟରେ ଜଳ ସମ୍ପଦର ସୁରକ୍ଷା, ସଂରକ୍ଷଣ ଓ ବୈଜ୍ଞାନିକ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପ୍ରସ୍ତୁତ କରିଥିବା ‘ଷ୍ଟେଟ୍ ୱାଟର ରିଫର୍ମ ଫ୍ରେମୱର୍କ’ (State Water Reform Framework)କୁ ଓଡ଼ିଶାରେ ଲାଗୁ କରାଯାଇଛି। ଏହି ନୂତନ ଢାଞ୍ଚା ମାଧ୍ୟମରେ ରାଜ୍ୟର ଜଳ ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ବୈଜ୍ଞାନିକ, ଦାୟିତ୍ୱବାନ ଓ ଫଳପ୍ରଦ କରିବା ଉପରେ ଗୁରୁତ୍ୱ ଦିଆଯିବ।
ଏହି ଜଳ ସଂସ୍କାର ଢାଞ୍ଚାରେ ୫ଟି ପ୍ରମୁଖ କ୍ଷେତ୍ରକୁ ଆଧାର କରି ୭୫ଟି ସୂଚକ (Indicators) ନିର୍ଦ୍ଧାରଣ କରାଯାଇଛି। ଏହି ସୂଚକ ଆଧାରରେ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥାଙ୍କ ଜଳ ପରିଚାଳନା କାର୍ଯ୍ୟଦକ୍ଷତାର ନିୟମିତ ମୂଲ୍ୟାଙ୍କନ କରାଯିବ। ଭଲ ପ୍ରଦର୍ଶନ କରୁଥିବା ବିଭାଗମାନଙ୍କ ଶ୍ରେଷ୍ଠ ଅଭ୍ୟାସ (Best Practices)କୁ ଚିହ୍ନଟ କରି ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରୟୋଗ କରାଯିବ। ସରକାରଙ୍କ ମତରେ, ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା, ଭୂଗର୍ଭ ଜଳସ୍ତର ହ୍ରାସ ଏବଂ ବଢ଼ୁଥିବା ଜଳ ଚାହିଦା ଭବିଷ୍ୟତ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏପରି ପରିସ୍ଥିତିରେ ଜଳ ସମ୍ପଦର ସଠିକ୍ ଓ ସ୍ଥାୟୀ ପରିଚାଳନା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ନୂଆ ଢାଞ୍ଚା ମାଧ୍ୟମରେ ଭୂତଳ ଓ ଭୂଗର୍ଭ ଜଳ ସଂରକ୍ଷଣ, ଜଳର ସଦୁପଯୋଗ, ଜଳ ଗୁଣବତ୍ତାର ଉନ୍ନତି ଏବଂ ସ୍ଥାୟୀ ଜଳ ପରିଚାଳନାକୁ ବିଶେଷ ଗୁରୁତ୍ୱ ଦିଆଯିବ।
ଏହି ଫ୍ରେମୱର୍କରେ ଜଳ ପରିଚାଳନା କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ଡାଟା ଆଧାରିତ ନିଷ୍ପତ୍ତି, ନିୟମିତ ମନିଟରିଂ ଏବଂ ଡିଜିଟାଲ୍ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ଏହା ଫଳରେ ଜଳ ସମ୍ପଦର ସଂରକ୍ଷଣ ସହ କୃଷି, ପାନୀୟ ଜଳ ଯୋଗାଣ ଏବଂ ଶିଳ୍ପ କ୍ଷେତ୍ରରେ ଜଳର ସନ୍ତୁଳିତ ଓ ଦକ୍ଷ ବ୍ୟବହାର ସମ୍ଭବ ହେବ।ସରକାରଙ୍କ ଏହି ପଦକ୍ଷେପକୁ ଓଡ଼ିଶାରେ ଜଳ ସମ୍ପଦର ସୁରକ୍ଷା, ସଂରକ୍ଷଣ ଓ ଭବିଷ୍ୟତ ପିଢ଼ି ପାଇଁ ସ୍ଥାୟୀ ଜଳ ପରିଚାଳନା ବ୍ୟବସ୍ଥା ଗଢ଼ି ତୋଳିବା ଦିଗରେ ଏକ ମାଇଲଖୁଣ୍ଟ ବୋଲି ମନେ କରାଯାଉଛି। ନୂତନ ଫ୍ରେମୱର୍କ କେବଳ ଜଳ ସମ୍ପଦର ସୁରକ୍ଷା ନୁହେଁ, ବରଂ ଆଗାମୀ ଦିନରେ ଜଳ ସଙ୍କଟ ମୁକାବିଲା ପାଇଁ ରାଜ୍ୟକୁ ଅଧିକ ପ୍ରସ୍ତୁତ କରିବ ବୋଲି ଆଶା କରାଯାଉଛି।
















Leave a Reply