ସୋସିଆଲ ମିଡିଆରୁ ପ୍ରେମ, ଲିଭ୍-ଇନ୍ ପରେ ବିବାହ ପ୍ରତିଶୃତିରେ ଧୋକା! ରାଜଧାନୀରେ ଯୁବକ ଗିରଫ

ଅକ୍ଷର ବ୍ୟୁରୋ: ସୋସିଆଲ ମିଡିଆରେ ପରିଚୟ, ତା’ପରେ ପ୍ରେମ, ଲିଭ୍-ଇନ୍ ସମ୍ପର୍କ ଏବଂ ଶେଷରେ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗରେ ରାଜଧାନୀରୁ ଜଣେ ଯୁବକଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଘଟଣାକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଦେବାଶିଷ ପ୍ରଧାନ (୨୪)। ସେ କନ୍ଧମାଳ ଜିଲ୍ଲାର ଟିକାବାଲି ଅଞ୍ଚଳର ବାସିନ୍ଦା ଏବଂ ଭୁବନେଶ୍ୱରର ଏକ ସପିଂ ମଲ୍‌ରେ କାର୍ଯ୍ୟରତ ଥିଲେ। ଅନ୍ୟପଟେ, ପୀଡ଼ିତା ନୟାପଲ୍ଲୀ ଅଞ୍ଚଳର ଏକ ହଷ୍ଟେଲରେ ରହି ପାଠପଢ଼ା କରୁଥିଲେ।

ପୋଲିସ ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ପ୍ରଥମେ ପରିଚୟ ହୋଇଥିଲା। ପରେ ସେହି ପରିଚୟ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଦେବାଶିଷ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଲିଭ୍-ଇନ୍‌ରେ ରହିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପିତ ହୋଇଥିଲା।

ତେବେ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ପରବର୍ତ୍ତୀ ସମୟରେ ବିବାହ ପ୍ରତିଶ୍ରୁତି ପୂରଣ ନକରି ଦେବାଶିଷ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏହାପରେ ପୀଡ଼ିତା ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗୁରୁତ୍ୱର ସହ ନେଇ ନୟାପଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଛି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)