ଭୁବନେଶ୍ୱରରୁ ଲୁଟ୍, କୋଲକାତାରୁ ଗିରଫ! ସାହିଦନଗର ଜୁଏଲେରୀ ଲୁଟ୍ ମାମଲାର ପର୍ଦ୍ଦାଫାଶ, ୧୦ ଲକ୍ଷରୁ ଅଧିକ ଗହଣା ଜବତ

ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ସାହିଦନଗରସ୍ଥିତ ଏକ ମଲ୍‌ର ଜୁଏଲେରୀ ଶୋ’ରୁମରେ ଘଟିଥିବା ଚର୍ଚ୍ଚିତ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀନେଶ କୁମାର ଠକରଙ୍କୁ ଗିରଫ କରାଯାଇଥିବାବେଳେ, ଲୁଟ୍ ହୋଇଥିବା ଗହଣା କିଣିଥିବା କୋଲକାତାର ବ୍ୟବସାୟୀ ସଞ୍ଜୟ ଗୁପ୍ତାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କୋଲକାତାର ବହୁବଜାରରେ ଚଢ଼ାଉ କରି ପୋଲିସ ଲୁଟ୍ ହୋଇଥିବା ସୁନା ଗହଣା ଜବତ କରିଛି।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଦୀନେଶ କୁମାର ଗ୍ରାହକ ବେଶରେ ସାହିଦନଗରର ଏକ ଜୁଏଲେରୀ ଦୋକାନକୁ ଯାଇ ସୁନା ଗହଣା ଲୁଟ୍ କରି ଫେରାର ହୋଇଥିଲା। ଘଟଣା ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଦୁଇ ଦିନିଆ ରିମାଣ୍ଡରେ ପଚରାଉଚରା ବେଳେ ଦୀନେଶ ଲୁଟ୍ ହୋଇଥିବା ଗହଣାକୁ କୋଲକାତାରେ ବିକ୍ରି କରିଥିବା କଥା ସ୍ୱୀକାର କରିଥିଲା। ଏହାପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି କୋଲକାତାର ବହୁବଜାରରେ ଚଢ଼ାଉ କରିଥିଲା। ସେଠାରୁ ଲୁଟ୍ ହୋଇଥିବା ଗହଣା ଜବତ କରାଯିବା ସହ ଗହଣା କିଣିଥିବା ବ୍ୟବସାୟୀ ସଞ୍ଜୟ ଗୁପ୍ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ପୋଲିସ କହିଛି, ଜବତ ହୋଇଥିବା ସୁନା ଗହଣାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ। ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ପ୍ରାଥମିକ ତଦନ୍ତରୁ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଏହି ଲୁଟେରା ଗ୍ୟାଙ୍ଗର ସଦସ୍ୟମାନେ ପୂର୍ବରୁ ଛତିଶଗଡ଼ର ରାୟପୁର, ଗୁଜରାଟ ଏବଂ ନାଗପୁର ସମେତ ବିଭିନ୍ନ ସହରରେ ଘଟିଥିବା ଜୁଏଲେରୀ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ଖୋଳତାଡ଼ ଜାରି ରଖିଛି। ଏହି ସଫଳ ଅପରେସନ୍‌କୁ କମିଶନରେଟ୍ ପୋଲିସର ଏକ ବଡ଼ ସଫଳତା ବୋଲି ଦେଖାଯାଉଛି, କାରଣ ଏହା ମାଧ୍ୟମରେ କେବଳ ଲୁଟ୍ ଗହଣା ଉଦ୍ଧାର ହୋଇନାହିଁ, ବରଂ ଏକ ଆନ୍ତଃରାଜ୍ୟ ଲୁଟେରା ନେଟୱାର୍କର ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)