କେନ୍ଦୁଝରରେ ଦନ୍ତାର ତାଣ୍ଡବ! ଘର ବାହାରେ ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ହାତୀ, ଘଟଣାସ୍ଥଳରେ ମୃତ୍ୟୁ

ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲାରେ ପୁଣି ଦନ୍ତା ହାତୀର ଆତଙ୍କ। ବାମେବାରି ଥାନା ଅଧୀନ ଯୋଡ଼ା ସେକ୍ସନର ଗୁରୁବେଡ ଗ୍ରାମରେ ଘର ବାହାରେ ଶୋଇଥିବା ଜଣେ ବୃଦ୍ଧଙ୍କୁ ଦନ୍ତା ହାତୀ ଆକ୍ରମଣ କରି ହତ୍ୟା କରିଛି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ମୃତ ବୃଦ୍ଧ ହେଲେ ଗୁରୁବେଡ ଗ୍ରାମର ୮୧ ବର୍ଷୀୟ ଯାତ୍ରା ମୁଣ୍ଡା। ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ସେ ଘର ବାହାରେ ପାଲ ଟାଣି ଶୋଇଥିବା ବେଳେ ଏକ ଦନ୍ତା ହାତୀ ହଠାତ୍ ସେଠାରେ ପହଞ୍ଚି ତାଙ୍କ ଉପରେ ଆକ୍ରମଣ କରିଥିଲା। ହାତୀର ପ୍ରଚଣ୍ଡ ଆକ୍ରମଣରେ ଘଟଣାସ୍ଥଳରେ ହିଁ ଯାତ୍ରା ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା।

ବନ ବିଭାଗର ସୂଚନା ଅନୁଯାୟୀ, ଦନ୍ତା ହାତୀଟି ବାଲିବନ୍ଧ ସେକ୍ସନ ଦେଇ ବୈତରଣୀ ନଦୀ ପାରି କରି ଗୁରୁବେଡ ଅଞ୍ଚଳକୁ ପ୍ରବେଶ କରିଥିଲା। ବୃଦ୍ଧଙ୍କୁ ଆକ୍ରମଣ କରିବା ପରେ ହାତୀଟି ସେହି ରାତିରେ ପୁଣି ଜଙ୍ଗଲ ଅଭିମୁଖେ ଫେରିଯାଇଥିବା ବନପାଳ ଜେନା ସୂଚନା ଦେଇଛନ୍ତି। ଘଟଣାର ଖବର ପାଇ ବାମେବାରି ପୁଲିସ ଏବଂ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ବାମେବାରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଏହି ଘଟଣା ପରେ ଗୁରୁବେଡ ଓ ଆଖପାଖ ଗ୍ରାମରେ ହାତୀ ଆତଙ୍କ ବଢ଼ିଯାଇଛି। ରାତି ସମୟରେ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ଦନ୍ତା ହାତୀର ଗତିବିଧି ଉପରେ ବନ ବିଭାଗ କଡ଼ା ନଜର ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)