ଅକ୍ଷର ବ୍ୟୁରୋ: ଦେଶରେ ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଏବଂ ଥାର୍ଡ ପାର୍ଟି ମୋଟର ବୀମାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଦିଗରେ ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୈଧ ଥାର୍ଡ ପାର୍ଟି ବୀମା ନଥିବା ଗାଡ଼ିକୁ ପେଟ୍ରୋଲ ପମ୍ପରେ ଇନ୍ଧନ ଯୋଗାଣ ବନ୍ଦ କରିବା ବ୍ୟବସ୍ଥାକୁ ପାଇଲଟ୍ ପ୍ରକଳ୍ପ ଭାବେ ବିଚାର କରିବାକୁ ସୁପ୍ରିମକୋର୍ଟ IRDA ଓ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଶୁଣାଣି ସମୟରେ କହିଛନ୍ତି ଯେ ଦେଶରେ ବହୁ ସଂଖ୍ୟକ ଯାନବାହନ ବୈଧ ଥାର୍ଡ ପାର୍ଟି ବୀମା ବିନା ଚଳାଚଳ କରୁଛି। ଏହା ଫଳରେ ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିମାନେ କ୍ଷତିପୂରଣ ପାଇବାରେ ବିଭିନ୍ନ ଆଇନଗତ ଓ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହା କୌଣସି ବାଧ୍ୟତାମୂଳକ ଆଦେଶ ନୁହେଁ। ବରଂ ଏହି ବ୍ୟବସ୍ଥାକୁ ପାଇଲଟ୍ ପ୍ରକଳ୍ପ ଭାବେ କିପରି କାର୍ଯ୍ୟକାରୀ କରାଯାଇପାରିବ, ସେନେଇ ସମ୍ପୃକ୍ତ ସଂସ୍ଥାମାନେ ବିଚାର କରିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି।
କୋର୍ଟଙ୍କ ପ୍ରସ୍ତାବ ଅନୁଯାୟୀ, ପେଟ୍ରୋଲ ପମ୍ପରେ ANPR (Automatic Number Plate Recognition) କ୍ୟାମେରା ମାଧ୍ୟମରେ ଗାଡ଼ିର ନମ୍ବର ପ୍ଲେଟ୍ ସ୍କାନ୍ କରି ବୀମା ସ୍ଥିତି ଯାଞ୍ଚ କରାଯାଇପାରିବ। ଏହି ବ୍ୟବସ୍ଥାକୁ VAHAN ପୋର୍ଟାଲ ଏବଂ Insurance Information Bureau ସହ ସଂଯୋଗ କରି ବୀମା ନଥିବା ଗାଡ଼ିକୁ ସ୍ୱୟଂଚାଳିତ ଭାବେ ଇ-ଚାଲାଣ ଜାରି କରିବା ଓ ପୁଲିସକୁ ରିଅଲ୍-ଟାଇମ୍ ଯାଞ୍ଚ ସୁବିଧା ଦେବା ପାଇଁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି।
ଏହା ସହିତ ନୂଆ କାର ପାଇଁ ୪ ବର୍ଷ ଏବଂ ନୂଆ ଦୁଇଚକିଆ ଯାନ ପାଇଁ ୬ ବର୍ଷର ବାଧ୍ୟତାମୂଳକ ଥାର୍ଡ ପାର୍ଟି ବୀମା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବୀମା ପଲିସିକୁ ଆହୁରି ସହଜ, ସ୍ୱଚ୍ଛ ଓ ଗ୍ରାହକବନ୍ଧବ କରିବା ସହ ସାଧାରଣ ଲୋକ ଯେକୌଣସି ଯାନର ବୀମା ସ୍ଥିତି ସହଜରେ ଯାଞ୍ଚ କରିପାରିବେ, ସେଭଳି ଡିଜିଟାଲ ବ୍ୟବସ୍ଥା ବିକଶିତ କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ମତରେ, ଏହି ପଦକ୍ଷେପ ସଡ଼କ ସୁରକ୍ଷା ବୃଦ୍ଧି, ବୀମା ନିୟମ ପାଳନକୁ ସୁନିଶ୍ଚିତ କରିବା ଏବଂ ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ଶୀଘ୍ର କ୍ଷତିପୂରଣ ମିଳିବାର ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ।















Leave a Reply