ଦିଲ୍ଲୀ-ଗୁରୁଗାଓଁରେ ଓଡ଼ିଶାର ଇନଭେଷ୍ଟମେଣ୍ଟ ମିଶନ୍! ନିବେଶକଙ୍କୁ ଆକର୍ଷିବାକୁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ, ଫୋକସ୍‌ରେ ଫୁଡ୍ ପ୍ରୋସେସିଂ ଓ ମେଟାଲ୍ ଡାଉନଷ୍ଟ୍ରିମ୍

ଅକ୍ଷର ବ୍ୟୁରୋ: ଓଡ଼ିଶାକୁ ଦେଶର ଅଗ୍ରଣୀ ଶିଳ୍ପ ଗନ୍ତବ୍ୟସ୍ଥଳୀ ଭାବେ ପ୍ରତିଷ୍ଠିତ କରିବା ସହ ନୂଆ ପୁଞ୍ଜିନିବେଶ ଆକର୍ଷିତ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଲକ୍ଷ୍ୟ ନେଇ ଆସନ୍ତାକାଲି ଦିଲ୍ଲୀ ଓ ଗୁରୁଗାଓଁରେ ଭବ୍ୟ ‘ଇନଭେଷ୍ଟର୍ସ ମିଟ୍’ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ‘ଟିମ୍ ଓଡ଼ିଶା’ ଦେଶର ପ୍ରମୁଖ ଶିଳ୍ପପତି, କର୍ପୋରେଟ୍ ହାଉସ୍ ଓ ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରି ରାଜ୍ୟରେ ନିବେଶ ପାଇଁ ଆହ୍ୱାନ ଜଣାଇବେ। ଏହି ଇନଭେଷ୍ଟର୍ସ ମିଟ୍‌ରେ ଓଡ଼ିଶାର ଶିଳ୍ପାୟନର ସମ୍ଭାବନା, ସରକାରଙ୍କ ଶିଳ୍ପବନ୍ଧବ ନୀତି, ଆଧୁନିକ ଭିତ୍ତିଭୂମି, ବନ୍ଦର, ଖଣିଜ ସମ୍ପଦ ଓ ଦକ୍ଷ ମାନବ ସମ୍ପଦ ସମ୍ପର୍କରେ ନିବେଶକଙ୍କୁ ଅବଗତ କରାଯିବ। ବିଭିନ୍ନ ଅଗ୍ରଣୀ କମ୍ପାନୀକୁ ଓଡ଼ିଶାରେ ନୂଆ ଶିଳ୍ପ ପ୍ରତିଷ୍ଠା କରିବା ସହ ପୁଞ୍ଜିନିବେଶ ବଢ଼ାଇବା ପାଇଁ ଆମନ୍ତ୍ରଣ ଦିଆଯିବ।

ଏଥରର ଇନଭେଷ୍ଟର୍ସ ମିଟ୍‌ରେ ଖାଦ୍ୟ ପ୍ରକ୍ରିୟାକରଣ (Food Processing) ଓ ମେଟାଲ୍ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି କ୍ଷେତ୍ରରେ ଓଡ଼ିଶାର ବ୍ୟାପକ ସମ୍ଭାବନାକୁ ଉପସ୍ଥାପନ କରି ଅଧିକ ନିବେଶ ଆଣିବାକୁ ସରକାର ପ୍ରୟାସ କରୁଛନ୍ତି। ରାଜ୍ୟ ପୂର୍ବରୁ ମେଟାଲ୍ ଓ କେମିକାଲ୍ ଶିଳ୍ପରେ ବ୍ୟାପକ ପୁଞ୍ଜିନିବେଶ ଆକର୍ଷିତ କରିବାରେ ସଫଳ ହୋଇଥିବା ବେଳେ, ନୀତି ଆୟୋଗର ସକାରାତ୍ମକ ରିପୋର୍ଟ ରାଜ୍ୟର ଶିଳ୍ପ ସମ୍ଭାବନାକୁ ଆହୁରି ମଜବୁତ କରିଛି। ଏହି ସଫଳତାକୁ ଆଧାର କରି ସରକାର ବର୍ତ୍ତମାନ ନୂଆ କ୍ଷେତ୍ରରେ ନିବେଶ ବୃଦ୍ଧି ଉପରେ ଜୋର ଦେଉଛନ୍ତି।

ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି ଯେ, ଏଥର ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ (Textile) ଓ ପର୍ଯ୍ୟଟନ କ୍ଷେତ୍ର ଉପରେ ସରକାର ବିଶେଷ ଫୋକସ୍ କରୁଛନ୍ତି। ଏହି କ୍ଷେତ୍ରରେ ନିବେଶ ବୃଦ୍ଧି ପାଇଲେ ନୂଆ ଶିଳ୍ପ ପ୍ରତିଷ୍ଠା, ବ୍ୟାପକ ରୋଜଗାର ସୃଷ୍ଟି ଓ ରାଜ୍ୟର ଅର୍ଥନୀତିକୁ ଅଧିକ ଗତି ମିଳିବ। ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବାକୁ ଥିବା ଏହି ଇନଭେଷ୍ଟର୍ସ ମିଟ୍‌କୁ ରାଜ୍ୟର ଶିଳ୍ପ ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ଏହି ବୈଠକରୁ କେତେ ପରିମାଣର ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆସୁଛି ଏବଂ ରାଜ୍ୟ ପାଇଁ କେତେ ବଡ଼ ଶିଳ୍ପ ସୁଯୋଗ ସୃଷ୍ଟି ହେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial