ସୁନ୍ଦରଗଡ଼ରେ ୨୫ଟିକିଆ ହାତୀପଲର ତାଣ୍ଡବ: ଧାନ ଫସଲ ଉଜାଡ଼ିଲେ, ଚାଷୀଙ୍କ ଚିନ୍ତା ବଢ଼ାଇଲା ହାତୀ ଆତଙ୍କ

ଅକ୍ଷର ବ୍ୟୁରୋ: ଚାଷ ଋତୁ ଆରମ୍ଭ ହେଉ ହେଉ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ହାତୀ ଆତଙ୍କ ଦେଖାଦେଇଛି। ଝାରଖଣ୍ଡରୁ ଆସିଥିବା ପ୍ରାୟ ୨୫ଟିକିଆ ହାତୀପଲ ସୁନ୍ଦରଗଡ଼ର ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ପ୍ରବେଶ କରି ବ୍ୟାପକ ଫସଲ କ୍ଷତି କରିଥିବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ଓ ଭୟର ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବରୀ ପାହାଡ଼ ତଳି ଅଞ୍ଚଳର ବିଭିନ୍ନ ଗାଁରେ ଭୋର ସମୟରେ ଏହି ହାତୀପଲ ପ୍ରବେଶ କରିଥିଲେ। ଜଙ୍ଗଲରୁ ବାହାରି ହାତୀମାନେ ସିଧାସଳଖ ଚାଷ ଜମିକୁ ପଶି ଧାନ ଫସଲକୁ ନଷ୍ଟ କରିଥିଲେ। ଚାଷ ଆରମ୍ଭ ସମୟରେ ଏପରି କ୍ଷତି ହେବାରୁ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ବହୁ ପରିଶ୍ରମ ଓ ଆଶାରେ କରାଯାଇଥିବା ଚାଷ ହାତୀପଲଙ୍କ ଉପଦ୍ରବରେ ନଷ୍ଟ ହୋଇଯିବାରୁ କ୍ଷତିଗ୍ରସ୍ତ ଚାଷୀମାନେ ସରକାରୀ ସହାୟତା ଓ କ୍ଷତିପୂରଣ ଦାବି କରିଛନ୍ତି। ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ସୀମାନ୍ତ ଅଞ୍ଚଳର ଚାଷୀମାନେ ଅସୁରକ୍ଷିତ ମନେ କରୁଛନ୍ତି।

ଅନ୍ୟପଟେ, ହାତୀପଲଙ୍କ ଗତିବିଧି ଉପରେ ବନ ବିଭାଗ କଡ଼ା ନଜର ରଖିଛି। ଡ୍ରୋନ୍ ଓ ଏଆଇ କ୍ୟାମେରା ମାଧ୍ୟମରେ ହାତୀଙ୍କ ଚଳପ୍ରଚଳ ଉପରେ ନିରନ୍ତର ନିରୀକ୍ଷଣ କରାଯାଉଥିବାବେଳେ ହାତୀପଲକୁ ପୁଣି ଜଙ୍ଗଲ ଭିତରକୁ ଘଉଡ଼ାଇବା ପାଇଁ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ପ୍ରୟାସ ଜାରି ରଖିଛି। ସେପଟେ, ହାତୀ ଆତଙ୍କକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ସତର୍କ କରାଯାଇଛି। ବିଶେଷକରି ରାତି ସମୟରେ ଜଙ୍ଗଲ ନିକଟକୁ ଏକୁଟିଆ ନଯିବା, ହାତୀଙ୍କ ନିକଟକୁ ନଯିବା ଏବଂ ହାତୀ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ଚାଷ ଋତୁର ଆରମ୍ଭରୁ ହାତୀପଲଙ୍କ ଏପରି ଉପଦ୍ରବ ସୁନ୍ଦରଗଡ଼ରେ ମଣିଷ-ହାତୀ ସଂଘର୍ଷ ସମସ୍ୟାକୁ ପୁଣି ଥରେ ସାମ୍ନାକୁ ଆଣିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial