ଅକ୍ଷର ବ୍ୟୁରୋ: ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ଭାରତର ବିକାଶ ଯାତ୍ରାର ଚିତ୍ର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତର ୧୩ତମ ସ୍ୱାଧୀନତା ଦିବସ ଭାଷଣରେ ଗତ ୧୨ ବର୍ଷରେ ଭାରତ ଆର୍ଥିକ, ପ୍ରତିରକ୍ଷା, ଶିଳ୍ପ, ଡିଜିଟାଲ୍ ଓ ମୌଳିକ ସୁବିଧା କ୍ଷେତ୍ରରେ କିଭଳି ଆଗକୁ ବଢ଼ିଛି, ତାହାର ଅନେକ ଉଦାହରଣ ଦେଇଛନ୍ତି ମୋଦୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ସମୟରେ ଭାରତକୁ ବିଶ୍ୱର ‘Fragile Five’ ଅର୍ଥାତ୍ ଦୁର୍ବଳ ଅର୍ଥନୀତି ଥିବା ପାଞ୍ଚଟି ଦେଶ ମଧ୍ୟରେ ଗଣାଯାଉଥିଲା । ମାତ୍ର ୧୨ ବର୍ଷ ମଧ୍ୟରେ ଭାରତ ଏକ ଦ୍ରୁତ ବିକାଶଶୀଳ ପ୍ରମୁଖ ଅର୍ଥନୀତି ଭାବେ ଉଭା ହୋଇଥିବା ସେ ଦାବି କରିଛନ୍ତି । ଏହି ପରିବର୍ତ୍ତନ ପଛରେ ଦେଶର ୧୪୦ କୋଟି ଲୋକଙ୍କ ପରିଶ୍ରମ, ସଂକଳ୍ପ ଓ ସାମୂହିକ ପ୍ରୟାସ ରହିଛି ବୋଲି ସେ କହିଛନ୍ତି ।
ଭାରତର ବିକାଶକୁ ବୁଝାଇବାକୁ ବିଭିନ୍ନ କ୍ଷେତ୍ରର ତଥ୍ୟ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ଭାଷଣ ଅନୁସାରେ—
ପ୍ରତିରକ୍ଷା ଉତ୍ପାଦନ ୪ ଗୁଣ ବୃଦ୍ଧି ପାଇଛି ।
ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦନ ୫ ଗୁଣ ବଢ଼ିଛି ।
ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୭ ଗୁଣ ବୃଦ୍ଧି ପାଇଛି ।
ମୋବାଇଲ୍ ଫୋନ୍ ଉତ୍ପାଦନ ୩୩ ପ୍ରତିଶତ ବୃଦ୍ଧି ପାଇଥିବା ସେ ଦାବି କରିଛନ୍ତି ।
ଏଥିସହ ଡିଜିଟାଲ୍ ଇଣ୍ଡିଆର ପ୍ରସାର ଉପରେ ମଧ୍ୟ ମୋଦୀ ଗୁରୁତ୍ୱ ଦେଇଛନ୍ତି । ଡିଜିଟାଲ୍ ଲେନଦେନ ବୃଦ୍ଧି ସହ ପାଇପ୍ ଯୋଗେ ପାନୀୟ ଜଳ, LPG ସଂଯୋଗ ଏବଂ ଶୌଚାଳୟ ଭଳି ମୌଳିକ ସୁବିଧାର ବିସ୍ତାର ହୋଇଥିବା ସେ କହିଛନ୍ତି । ଭାଷଣରେ ସଂସ୍କାରର ଆବଶ୍ୟକତା ଉପରେ ମଧ୍ୟ ଜୋର ଦେଇଛନ୍ତି ମୋଦୀ । ୨୧ତମ ଶତାବ୍ଦୀର ଭାରତ ପୁରୁଣା ଶତାବ୍ଦୀର ଆଇନ ଓ ବ୍ୟବସ୍ଥା ଉପରେ ନିର୍ଭର କରି ଆଗକୁ ବଢ଼ିପାରିବ ନାହିଁ ବୋଲି ସେ କହିଛନ୍ତି । ଦେଶର ଆବଶ୍ୟକତା ଓ ଲୋକଙ୍କ ଆଶା ଅନୁଯାୟୀ ଆଇନ ଏବଂ ପ୍ରତିଷ୍ଠାନଗତ ବ୍ୟବସ୍ଥାରେ ସମୟୋପଯୋଗୀ ପରିବର୍ତ୍ତନ ଆବଶ୍ୟକ ବୋଲି ମୋଦୀ ମତ ରଖିଛନ୍ତି । ଶେଷରେ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନର ସଙ୍କଳ୍ପକୁ ପୁଣିଥରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କ ସାମୂହିକ ପ୍ରୟାସ, ଦୃଢ଼ ସଂକଳ୍ପ ଓ ନିରନ୍ତର ପରିଶ୍ରମ ଭାରତକୁ ଆହୁରି ଦ୍ରୁତ ଗତିରେ ଆଗକୁ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।















Leave a Reply