ଆଜିଠୁ ଓଡ଼ିଶା ପୁଲିସର ଅନ୍ତରୀଣ ନେତୃତ୍ୱ; ବିନୟତୋଷ ମିଶ୍ର ହେବେ ଇନ୍‌ଚାର୍ଜ DGP, ଅବସର ନେବେ ୱାଇ.ବି. ଖୁରାନିଆ

ଅକ୍ଷର ବ୍ୟୁରୋ: ଓଡ଼ିଶା ପୁଲିସର ନେତୃତ୍ୱରେ ଆଜିଠୁ ଆସିବ ଅନ୍ତରୀଣ ବ୍ୟବସ୍ଥା। ବର୍ତ୍ତମାନର ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଆଜି ଅବସର ନେଉଥିବା ବେଳେ ବରିଷ୍ଠ IPS ଅଧିକାରୀ ବିନୟତୋଷ ମିଶ୍ର ରାଜ୍ୟ DGPଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବେ। ଗୃହ ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି।୧୯୯୩ ବ୍ୟାଚ୍‌ର IPS ଅଧିକାରୀ ବିନୟତୋଷ ମିଶ୍ର ବର୍ତ୍ତମାନ CID ଓ କ୍ରାଇମବ୍ରାଞ୍ଚର DG ଭାବେ କାର୍ଯ୍ୟରତ। ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ DGPଙ୍କ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ୨୦୨୫ ଜାନୁଆରୀରେ ସେ DG ପାହ୍ୟାକୁ ପଦୋନ୍ନତି ପାଇଥିଲେ। ତେବେ ନଭେମ୍ବରରେ ଅବସର ନେବାକୁ ଥିବାରୁ ସ୍ଥାୟୀ DGP ପଦ ପାଇଁ ଆବଶ୍ୟକ ସର୍ବନିମ୍ନ ୬ ମାସର ଚାକିରି ଅବଧି ସର୍ତ୍ତ ସେ ପୂରଣ କରୁନାହାନ୍ତି। ତେଣୁ ସ୍ଥାୟୀ DGP ଦୌଡ଼ରେ ତାଙ୍କ ନାମ ନାହିଁ।

୧୯୯୦ ବ୍ୟାଚ୍‌ର IPS ଅଧିକାରୀ ୱାଇ.ବି. ଖୁରାନିଆ ଦୁଇ ବର୍ଷର କାର୍ଯ୍ୟକାଳ ପୂରଣ କରି ଆଜି ଅପରାହ୍ଣରେ ଅବସର ନେବେ। କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରି ସେ ୨୦୨୪ ଅଗଷ୍ଟ ୧୬ରେ ଓଡ଼ିଶା DGP ଭାବେ ଦାୟିତ୍ୱ ନେଇଥିଲେ। ଅବସର ପୂର୍ବରୁ ଶୁକ୍ରବାର ଲୋକସେବା ଭବନରେ ସେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ ମଧ୍ୟ କରିଥିଲେ।ସ୍ଥାୟୀ DGP ଚୟନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ଏବେ ଅନ୍ତରୀଣ ବ୍ୟବସ୍ଥା କରିଛନ୍ତି ସରକାର। ଜଣେ RTI କର୍ମୀଙ୍କ ଦ୍ୱାରା ଦାଖଲ ଜନସ୍ୱାର୍ଥ ମାମଲାରେ UPSCକୁ ପଠାଯାଇଥିବା ଅଧିକାରୀଙ୍କ ତାଲିକା ପ୍ରସ୍ତୁତିରେ ପ୍ରକାଶ ସିଂହ ରାୟରେ ନିର୍ଦ୍ଧାରିତ ନିୟମରୁ ବିଚ୍ୟୁତି ହୋଇଥିବା ଅଭିଯୋଗ ହୋଇଛି।

ଏହାପରେ ସୁପ୍ରିମକୋର୍ଟ UPSCକୁ ତିନି ଜଣ ଅଧିକାରୀଙ୍କ ନାମ ସର୍ଟଲିଷ୍ଟ କରିବା ପାଇଁ ହେବାକୁ ଥିବା ବୈଠକକୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଫଳରେ ନିୟମିତ DGP ନିଯୁକ୍ତି ପ୍ରକ୍ରିୟା ଏବେ ଅଟକି ରହିଛି। ଚର୍ଚ୍ଚାରେ ଥିବା ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ୧୯୯୦ ବ୍ୟାଚ୍‌ର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚ୍‌ର ଆର୍‌.ପି. କୋଚେଙ୍କ ସହ ନିକଟରେ DG ପାହ୍ୟାକୁ ପଦୋନ୍ନତି ପାଇଥିବା ସଞ୍ଜୀବ ପଣ୍ଡା ଓ ଯଶୱନ୍ତ କୁମାର ଜେଠୱାଙ୍କ ନାମ ରହିଛି। ତେବେ ଅଧିକାରୀଙ୍କ ବିସ୍ତାରିତ ତାଲିକାକୁ ନେଇ ଆଇନଗତ ବିବାଦ ଜାରି ରହିଛି। ସରକାରଙ୍କ ମତରେ, ବିନୟତୋଷ ମିଶ୍ରଙ୍କୁ ଦିଆଯାଇଥିବା DGPର ଅତିରିକ୍ତ ଦାୟିତ୍ୱ ଏକ ପ୍ରଶାସନିକ ବ୍ୟବସ୍ଥା। ଅଦାଲତୀ ପ୍ରକ୍ରିୟା ଶେଷ ହୋଇ ନିୟମିତ DGP ନିଯୁକ୍ତ ହେବା ପର୍ଯ୍ୟନ୍ତ ଓଡ଼ିଶା ପୁଲିସର କାର୍ଯ୍ୟଧାରା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଏହି ଅନ୍ତରୀଣ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial