କଟକ ସହ ମିଶିଯିବ ‘ବିଜି’ ଡିଭିଜନ! ଦକ୍ଷିଣ ଓଡ଼ିଶାରେ ତେଜିଲା ବିରୋଧ

ଅକ୍ଷର ବ୍ୟୁରୋ: କଟକକୁ ଉଠିଯିବ କି ବ୍ରହ୍ମପୁର-ଗଞ୍ଜାମ ରେଳ ଡାକସେବାର ‘ବିଜି’ ଡିଭିଜନ? ଏଭଳି ଏକ ଅଭିଯୋଗକୁ ନେଇ ଏବେ ଦକ୍ଷିଣ ଓଡ଼ିଶାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ‘ବିଜି’ ଡିଭିଜନକୁ କଟକର ‘ଏନ’ ଡିଭିଜନ ସହ ମିଶ୍ରଣ କରିବା ପାଇଁ ଭିତିରିଆ ଭାବେ ପ୍ରସ୍ତୁତି ଚାଲିଛି। ଏପରିକି ଡିଭିଜନ ଅଧୀନରେ ଥିବା ରାୟଗଡ଼ା ଓ ଜୟପୁର କାର୍ଯ୍ୟାଳୟକୁ ମଧ୍ୟ ଝାରସୁଗୁଡ଼ାକୁ ସ୍ଥାନାନ୍ତର କରିବା ନେଇ ମସୁଧା ଚାଲିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଭିଯୋଗ ଅନୁସାରେ, ବ୍ରହ୍ମପୁର-ଗଞ୍ଜାମ ଡିଭିଜନ ଦିନକୁ ୩୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ଦେଉଛି। ଏହି ଡିଭିଜନ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାକୁ ରେଳ ଡାକସେବା ଯୋଗାଇ ଆସୁଛି। ଏହା ସହ ଡିଭିଜନରେ ୨୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଥିବା ଦାବି କରାଯାଉଛି।

ଅଭିଯୋଗ ହେଉଛି, କୌଣସି ସ୍ପଷ୍ଟ ସରକାରୀ ଚିଠି କିମ୍ବା ଔପଚାରିକ ସୂଚନା ନଦେଇ ଅତି ତରବରିଆ ଭାବେ ‘ବିଜି’ ଡିଭିଜନକୁ କଟକର ‘ଏନ’ ଡିଭିଜନ ସହ ମିଶ୍ରଣ କରିବାକୁ ଯୋଜନା ହେଉଛି। ଏହା ପଛରେ କିଏ ଓ କାହିଁକି ଏଭଳି ପଦକ୍ଷେପ ନେଉଛି, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କେବଳ ଡିଭିଜନ ମିଶ୍ରଣ ନୁହେଁ, ଏହା ଅଧୀନରେ ଥିବା ରାୟଗଡ଼ା ଓ ଜୟପୁର କାର୍ଯ୍ୟାଳୟକୁ ଝାରସୁଗୁଡ଼ାକୁ ଉଠାଇ ନେବା ପାଇଁ ମଧ୍ୟ ଯୋଜନା ଚାଲିଥିବା ଅଭିଯୋଗ ହୋଇଛି। ଏଭଳି ହେଲେ ଦକ୍ଷିଣ ଓଡ଼ିଶାରେ ରେଳ ଡାକସେବା ପ୍ରଭାବିତ ହେବା ସହ କର୍ମଚାରୀ ଓ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ପ୍ରସ୍ତାବିତ ପଦକ୍ଷେପକୁ ନେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ମହଲରେ ପ୍ରତିବାଦର ସ୍ୱର ତେଜ ହେବାରେ ଲାଗିଛି। ଦକ୍ଷିଣ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଏହି ଡିଭିଜନକୁ କାହିଁକି ଉଠାଇ ନେବାକୁ ଉଦ୍ୟମ ହେଉଛି ଏବଂ ଏହା ପଛରେ କଣ କାରଣ ରହିଛି, ତାକୁ ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial