ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ବଡ଼ ଟ୍ୱିଷ୍ଟ

ଅକ୍ଷର ବ୍ୟୁରୋ: ଚର୍ଚ୍ଚିତ ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ଆସିଛି ବଡ଼ ଟ୍ୱିଷ୍ଟ। ଅପହରଣ ଘଟଣାରେ ଜଣେ ଲେଡି ପୁଲିସ ଏସଆଇ ଓ ଜଣେ ସାମ୍ବାଦିକଙ୍କ ସମ୍ପୃକ୍ତି ଅଭିଯୋଗ ସାମ୍ନାକୁ ଆସିବା ପରେ ଉଭୟଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ଗିରଫଦାରୀ ନେଇ ବଲାଙ୍ଗିର SDPO ସୂଚନା ଦେଇଛନ୍ତି। ଗିରଫ ଲେଡି ଏସଆଇ ହେଉଛନ୍ତି ସ୍ନେହମଞ୍ଜରୀ ସାହୁ। ସେ ଏହି ଅପହରଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷିତୀଶ ସାହୁଙ୍କ ଭଉଣୀ ବୋଲି ଜଣାପଡ଼ିଛି। ମାମଲାରେ ଜଣେ ସାମ୍ବାଦିକଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ସୂଚନା ରହିଛି। ତେବେ ତଦନ୍ତରେ ସେମାନଙ୍କର ପ୍ରକୃତ ଭୂମିକା କଣ ଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଗତ ଶୁକ୍ରବାର ଜାତୀୟ ରାଜପଥର ରଣ୍ଡା ଛକ ନିକଟରୁ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ କରାଯାଇଥିଲା। ଘଟଣା ପରେ ବଲାଙ୍ଗିର ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅପହରଣର ଦିନକ ପରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ନରେନ୍ଦ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ପୁଲିସ। ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ କ୍ଷିତୀଶ ସାହୁ ଓ ତାଙ୍କ ସହଯୋଗୀ ସଂଜିତ ବେହେରାଙ୍କୁ ପୁଲିସ ଗିରଫ କରିଥିଲା। ଏବେ ଲେଡି ଏସଆଇ ଓ ସାମ୍ବାଦିକଙ୍କ ଗିରଫଦାରୀ ପରେ ମାମଲା ନୂଆ ମୋଡ଼ ନେଇଛି। ପ୍ରାଥମିକ ତଦନ୍ତରେ ହନୁମାନ ପଇସାକୁ କେନ୍ଦ୍ର କରି ଅପହରଣ ହୋଇଥିବା ସୂଚନା ମିଳିଥିଲେ ମଧ୍ୟ ଘଟଣା ପଛର ଆର୍ଥିକ କାରବାରକୁ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ବିଶେଷକରି ଅଭିଯୁକ୍ତମାନେ ୨ କୋଟି ୭୦ ଲକ୍ଷ ଟଙ୍କା କେଉଁଠୁ ପାଇଥିଲେ, ସେନେଇ ତଦନ୍ତ ଚାଲିଛି। ଲେଡି ଏସଆଇ ଓ ସାମ୍ବାଦିକଙ୍କ ଗିରଫଦାରୀ ପରେ ଅପହରଣ ମାମଲାରେ ଆହୁରି କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଟଙ୍କା କାରବାରର ପୂରା ନେଟୱର୍କ କଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial