କଟକ-ଭୁବନେଶ୍ୱରରେ ଓଲା-ଉବେର-ରାପିଡୋ ବନ୍ଦ!

ଅକ୍ଷର ବ୍ୟୁରୋ: କଟକ-ଭୁବନେଶ୍ୱରରେ ଠପ୍ ହେଲା ଅନଲାଇନ୍ କ୍ୟାବ୍ ଓ ବାଇକ୍ ସେବା। ୭ ଦଫା ଦାବି ନେଇ ‘ଜିରୋ ସପ୍ଲାଇ’ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଲା, ଉବେର ଓ ରାପିଡୋ ଡ୍ରାଇଭର। ଅନଲାଇନ୍ ଡ୍ରାଇଭର ମଞ୍ଚ, ଓଡ଼ିଶା ଏବଂ ବିଭିନ୍ନ ଅନଲାଇନ୍-ଅଫଲାଇନ୍ ଡ୍ରାଇଭର ସଂଗଠନର ମିଳିତ ସଂଗ୍ରାମ ସମିତି ପକ୍ଷରୁ ଏହି ଆନ୍ଦୋଳନ ଘୋଷଣା କରାଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳ ପାଇଁ ସେବା ବନ୍ଦ ରଖିବାକୁ ଡ୍ରାଇଭର ସଂଗଠନଗୁଡ଼ିକ ଚେତାବନୀ ଦେଇଛନ୍ତି।

କ’ଣ ରହିଛି ଡ୍ରାଇଭରଙ୍କ ୭ ଦଫା ଦାବି?

୧. ଭାଡ଼ା ନିର୍ଦ୍ଧାରଣ:
ସରକାର ଓ କମ୍ପାନୀ ମିଳିତ ଭାବେ ସର୍ବନିମ୍ନ ଓ ସର୍ବାଧିକ ଭାଡ଼ା ଧାର୍ଯ୍ୟ କରନ୍ତୁ। ଗ୍ରାହକଙ୍କଠାରୁ ଅତିରିକ୍ତ ଭାଡ଼ା ନିଆଗଲେ ତାହାର ଭାର ଡ୍ରାଇଭରଙ୍କ ଉପରେ ନ ପଡ଼ୁ ବୋଲି ଦାବି କରାଯାଇଛି।

୨. ବିନା ତଦନ୍ତରେ ଆକାଉଣ୍ଟ ବ୍ଲକ୍ ବନ୍ଦ:
କୌଣସି ତଦନ୍ତ ନକରି ଡ୍ରାଇଭରଙ୍କ ଆକାଉଣ୍ଟ ବ୍ଲକ୍ କରାଯିବା ବନ୍ଦ କରିବା ସହ ପୂର୍ବରୁ ବ୍ଲକ୍ ହୋଇଥିବା ଆକାଉଣ୍ଟ ତୁରନ୍ତ ଅନବ୍ଲକ୍ କରିବାକୁ ଦାବି।

୩. ଗ୍ରାହକଙ୍କ ଅପେକ୍ଷା ପାଇଁ ଭାଡ଼ା:
ରାଇଡ୍ ସମୟରେ ଗ୍ରାହକଙ୍କ ପାଇଁ ଡ୍ରାଇଭରଙ୍କୁ ଅପେକ୍ଷା କରିବାକୁ ପଡ଼ିଲେ ସେହି ସମୟ ପାଇଁ ଉଚିତ ଭାଡ଼ା ଦିଆଯାଉ।

୪. ଟ୍ରାଫିକ୍ ଜାମ୍ ପାଇଁ କ୍ଷତିପୂରଣ:
ଟ୍ରାଫିକ୍ ଜାମରେ ଅତିରିକ୍ତ ସମୟ ନଷ୍ଟ ହେଲେ ତାହାର ହିସାବ କରି ଡ୍ରାଇଭରଙ୍କୁ କ୍ଷତିପୂରଣ ଦିଆଯାଉ।

୫. ରାଇଡ୍ କ୍ୟାନ୍ସଲ୍ ହେଲେ ପୂରା ଟଙ୍କା:
ଗ୍ରାହକ ରାଇଡ୍ ବାତିଲ କଲେ ଡ୍ରାଇଭରଙ୍କୁ ପୂରା ରାଶି ପ୍ରଦାନ କରାଯାଉ।

୬. କମ୍ପାନୀର ସ୍ଥାୟୀ କାର୍ଯ୍ୟାଳୟ:
ପ୍ରତ୍ୟେକ ଆପ୍ କମ୍ପାନୀର ଏକ ସ୍ଥାୟୀ କାର୍ଯ୍ୟାଳୟ ରହିବା ବାଧ୍ୟତାମୂଳକ କରାଯାଉ।

୭. ଓଭର୍-ସପ୍ଲାଇ ଉପରେ ରୋକ୍:
ଆପ୍ କମ୍ପାନୀଗୁଡ଼ିକ ଅନିୟନ୍ତ୍ରିତ ଭାବେ ନୂଆ ଗାଡ଼ି ଯୋଡ଼ିବା ବନ୍ଦ କରନ୍ତୁ। ଏଥିପାଇଁ ବାର୍ଷିକ ଲିମିଟେଡ୍ ଟାର୍ଗେଟ୍ ଧାର୍ଯ୍ୟ କରାଯାଉ ବୋଲି ଡ୍ରାଇଭର ସଂଗଠନ ଦାବି କରିଛି।

ଡ୍ରାଇଭର ସଂଗଠନଗୁଡ଼ିକର ଅଭିଯୋଗ, ଆପ୍ କମ୍ପାନୀଗୁଡ଼ିକର ନୀତି ଯୋଗୁଁ ଡ୍ରାଇଭରମାନେ ଆର୍ଥିକ ଓ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ଦାବିରେ ‘ଜିରୋ ସପ୍ଲାଇ’ ଆନ୍ଦୋଳନ ଆରମ୍ଭ ହୋଇଛି। ସରକାର ଓ ସମ୍ପୃକ୍ତ କମ୍ପାନୀ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆପ୍ ଆଧାରିତ ଯାନ ସେବାରୁ ଦୂରେଇ ରହିବାକୁ ଡ୍ରାଇଭରମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial