ଅକ୍ଷର ବ୍ୟୁରୋ: ଭତ୍ତା ଟଙ୍କା ମିଳିନଥିବାକୁ ନେଇ ବଲାଙ୍ଗିରରେ ଅଭାବନୀୟ ଘଟଣା। ଭତ୍ତା ଟଙ୍କା ନମିଳିବାରୁ ପରିବାର ଲୋକ ଶବ ଉଠାଇବାକୁ ମନା କରିଦେବାରୁ ପ୍ରାୟ ୫ ଘଣ୍ଟା ଧରି ଘରେ ପଡ଼ିରହିଥିଲା ମୃତଦେହ। ଘଟଣାଟି ବଲାଙ୍ଗିର ସଦର ବ୍ଲକ୍ ସିକାଛିଡ଼ା ପଞ୍ଚାୟତ ଅନ୍ତର୍ଗତ ଖର୍ଲ୍ଲିକାନୀ ଗାଁରୁ ସାମ୍ନାକୁ ଆସିଛି।
ଗାଁର ବୀର ମୁଣ୍ଡାଙ୍କର ଆଜି ସକାଳେ ମୃତ୍ୟୁ ଘଟିଥିଲା। ପରିବାରର ଅଭିଯୋଗ, ବୀରଙ୍କ ଭତ୍ତା ଟଙ୍କା ଗତ ୧୩ ତାରିଖରୁ ଉଠାଯାଇଥିଲେ ମଧ୍ୟ ତାଙ୍କୁ ଟଙ୍କା ଦିଆଯାଇନଥିଲା। ଅସୁସ୍ଥ ଥିବା ସମୟରେ ଟଙ୍କା ନମିଳିବାରୁ ଚିକିତ୍ସା କରାଇବାରେ ସମସ୍ୟା ହୋଇଥିବା ଏବଂ ଶେଷରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ବୀରଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ଦାବି ଥିଲା, ପ୍ରଥମେ ଭତ୍ତା ଟଙ୍କା ମିଳୁ, ତା’ପରେ ହେବ ଶବ ସତ୍କାର। ଏହି କାରଣରୁ ପ୍ରାୟ ୫ ଘଣ୍ଟା ଧରି ମୃତଦେହ ଘରେ ପଡ଼ିରହିଥିଲା।
ପରେ ସିକାଛିଡ଼ା ସରପଞ୍ଚଙ୍କ ପ୍ରତିନିଧି ଘନଶ୍ୟାମ ଶତପଥୀ ଗାଁରେ ପହଞ୍ଚି ପରିବାରକୁ ୩ ହଜାର ଟଙ୍କା ଦେବା ପରେ ଶବ ଉଠିଥିବା ଜଣାପଡ଼ିଛି। ଏହାପରେ ଅନ୍ତିମ ସତ୍କାର ପାଇଁ ବ୍ୟବସ୍ଥା କରାଯାଇଥିଲା। ଘଟଣା ପରେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି, ଯଦି ବୀରଙ୍କ ଭତ୍ତା ଟଙ୍କା ଉଠାଯାଇଥିଲା, ତେବେ ତାଙ୍କୁ ସେହି ଟଙ୍କା ଦିଆଯାଇନଥିଲା କାହିଁକି? ଏହି ପ୍ରସଙ୍ଗରେ ପଞ୍ଚାୟତର PEOଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।
ଭତ୍ତା ଟଙ୍କା ଉଠାଣ ଓ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ ମଧ୍ୟରେ କୌଣସି ଅନିୟମିତତା ହୋଇଛି କି, ଏହାର ତଦନ୍ତ ହେଲେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ବୀର ମୁଣ୍ଡାଙ୍କ ଭତ୍ତା ଟଙ୍କା ଉଠାଣ ନେଇ ପରିବାର ପକ୍ଷରୁ ଉଠିଥିବା ଅଭିଯୋଗର ନିରପେକ୍ଷ ଯାଞ୍ଚ ହେବା ଏବେ ଜରୁରୀ ହୋଇପଡ଼ିଛି। ଯଦି ତଦନ୍ତ ହୁଏ, ତେବେ ମୃତ ହିତାଧିକାରୀଙ୍କ ଭତ୍ତା ଟଙ୍କା କେବେ, କିଏ ଏବଂ କେଉଁ ପ୍ରକ୍ରିୟାରେ ଉଠାଇଥିଲେ, ତାହା ସ୍ପଷ୍ଟ ହୋଇପାରେ। ଏକପଟେ ମୃତ୍ୟୁ ପରେ ଭତ୍ତା ଟଙ୍କା ପାଇଁ ଶବ ଘରେ ପଡ଼ିରହିବା ଘଟଣା ମାନବିକତା ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିବାବେଳେ, ଅନ୍ୟପଟେ ଭତ୍ତା ଟଙ୍କା ଉଠାଣକୁ ନେଇ ମଧ୍ୟ ତଦନ୍ତର ଦାବି ଜୋର ଧରିଛି।












Leave a Reply