ନବରଙ୍ଗପୁରରେ ଚାଞ୍ଚଲ୍ୟକର ଡକାୟତି: ଦମ୍ପତିଙ୍କୁ ବାନ୍ଧି ଭୁଜାଲି ଦେଖାଇ ଲୁଟ୍, ନଗଦ ୨.୧୦ ଲକ୍ଷ ସହ ସୁନାଗହଣା ନେଇଗଲେ ୮ ଦୁର୍ବୃତ୍ତ

ଅକ୍ଷର ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି। ବିଳମ୍ବିତ ରାତିରେ ପ୍ରାୟ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଉମେଶ ଚନ୍ଦ୍ର ରଥଙ୍କ ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରିବା ସହ ଭୁଜାଲି ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଛି। ଦମ୍ପତିଙ୍କୁ ହାତଗୋଡ଼ ବାନ୍ଧି ଘରୁ ନଗଦ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଅଭିଯୋଗ ଅନୁସାରେ, ରାତି ପ୍ରାୟ ୧ଟା ସମୟରେ ଦୁର୍ବୃତ୍ତମାନେ ଠାକୁର ଘରର ଝରକା ଭାଙ୍ଗି ଘର ଭିତରକୁ ପଶିଥିଲେ। ପ୍ରଥମେ ଉମେଶ ଚନ୍ଦ୍ର ରଥଙ୍କୁ ଆକ୍ରମଣ କରି ପ୍ରବଳ ମାଡ଼ ମାରିବା ପରେ ତାଙ୍କ ହାତ ବାନ୍ଧି ଦେଇଥିଲେ। ଏପରିକି ବେକରେ ଭୁଜାଲି ରଖି ଧମକ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଏହାପରେ ଅନ୍ୟ ଏକ ବଖରାରେ ଶୋଇଥିବା ଉମେଶଙ୍କ ସ୍ତ୍ରୀ ପୁଷ୍ପଲତା ଦାଶଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ତାଙ୍କ ହାତ ବାନ୍ଧିବା ସହ ବେକରେ ଭୁଜାଲି ରଖି ଭୟଭୀତ କରିଥିଲେ। ଏପରିକି ପୁଷ୍ପଲତାଙ୍କ କାନରୁ ସୁନା କାନଫୁଲ ଟାଣି ନେବା ବେଳେ ତାଙ୍କ କାନ ଛିଡ଼ିଯାଇଥିବା ଅଭିଯୋଗ ହୋଇଛି। ଦମ୍ପତିଙ୍କୁ ଭୟଭୀତ କରିବା ପରେ ଦୁର୍ବୃତ୍ତମାନେ ଘରେ ଥିବା ଗୋଡ୍ରେଜ୍ ପେଡ଼ି ଭାଙ୍ଗି ନଗଦ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ପରିବାରର ଅଭିଯୋଗ ଅନୁସାରେ, ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ନଗଦ ଲୁଟ୍ ହୋଇଛି। ଏହାସହ ପ୍ରାୟ ୫ ତୋଳା ସୁନାର ହାର, ୨ଟି ସୁନା ମୁଦି, ସୁନା କାନଫୁଲ, ୨ଟି ସୁନା ଲକେଟ୍ ଓ ସୁନା ମଙ୍ଗଳସୂତ୍ର ସମେତ ଅନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ପରିବାର ପକ୍ଷରୁ ରାତିରେ ଫୋନ୍ ଯୋଗେ ପୁଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇ ଅଳ୍ପ ସମୟ ମଧ୍ୟରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏବେ ଡକାୟତମାନଙ୍କୁ ଧରିବା ପାଇଁ ନିକଟସ୍ଥ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୁଲିସ। ଏହାସହ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯିବ ବୋଲି ନବରଙ୍ଗପୁର ଏସ୍‌ଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି। ଦହଣା ଗାଁରେ ଏହି ସଶସ୍ତ୍ର ଡକାୟତି ପରେ ଭୟର ବାତାବରଣ ଦେଖାଦେଇଥିବା ବେଳେ, ଦୁର୍ବୃତ୍ତମାନଙ୍କ ପରିଚୟ ଓ ସେମାନଙ୍କୁ ଧରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial