ତିନି ଦିନ ହେଲା ଘରେ ପଡ଼ିଛି ମୃତଦେହ, ସତ୍କାର ପାଇଁ ମିଳୁନି ସହଯୋଗ! ଶାଶୁଙ୍କ ମୃତଦେହ ପାଖରେ ବସିଛନ୍ତି ବୋହୂ

ଅକ୍ଷର ବ୍ୟୁରୋ: ମାନବିକତାକୁ ନେଇ ବଡ଼ ପ୍ରଶ୍ନ ଠିଆ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରୁ ଆସିଥିବା ଏକ ଅଭାବନୀୟ ଘଟଣା। ତିନି ଦିନ ହେଲା ଘରେ ପଡ଼ି ରହିଛି ଜଣେ ବୃଦ୍ଧାଙ୍କ ମୃତଦେହ। ହେଲେ ମୃତଦେହର ସତ୍କାର ପାଇଁ ମିଳୁନି ସହଯୋଗ। ଶାଶୁଙ୍କ ମୃତଦେହ ପାଖରେ ବସି ରହିଛନ୍ତି ବୋହୂ। ଗାଁ ଲୋକଙ୍କଠାରୁ ଆରମ୍ଭ କରି ଜ୍ଞାତିକୁଟୁମ୍ବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ସହଯୋଗ କରୁନଥିବା ଅଭିଯୋଗ ହୋଇଛି।

ଘଟଣାଟି ରାଜନଗର ବ୍ଲକ ତାଳଚୁଆ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁର। ସୂଚନା ଅନୁସାରେ, ଗାଁର ସବିତା ଶାସମାଲ ଗତ ମଙ୍ଗଳବାର ଦିନ ଆତ୍ମହତ୍ୟା କରିଥିଲେ। ଘଟଣା ପରେ ତାଳଚୁଆ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହର ବ୍ୟବଚ୍ଛେଦ କରାଇଥିଲା। ପରେ ପୁଲିସ ମୃତଦେହକୁ ତାଙ୍କ ବୋହୂଙ୍କ ହାତରେ ହସ୍ତାନ୍ତର କରିଥିଲା।ମୃତଦେହ ହସ୍ତାନ୍ତର ପରେ ଶବ ସତ୍କାରକୁ ନେଇ ବିବାଦ ଦେଖାଦେଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଓ ସବିତାଙ୍କ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଥିବାରୁ ଗାଁ ଲୋକେ ଶବ ସତ୍କାରରେ ସହଯୋଗ କରୁନଥିବା ଅଭିଯୋଗ ହୋଇଛି।

ଏପଟେ ଶାଶୁଙ୍କ ମୃତଦେହକୁ ନେଇ ଅସହାୟ ହୋଇପଡ଼ିଛନ୍ତି ବୋହୂ। ମୃତଦେହ ସତ୍କାର ପାଇଁ ଗାଁ ଲୋକଙ୍କଠାରୁ ଆରମ୍ଭ କରି ଜ୍ଞାତିକୁଟୁମ୍ବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିବେଦନ କରୁଥିଲେ ମଧ୍ୟ କେହି ସହଯୋଗ କରୁନଥିବା ସେ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ତିନି ଦିନ ଧରି ମୃତଦେହ ଘରେ ପଡ଼ି ରହିବା ଘଟଣା ମାନବିକତା ଉପରେ ବଡ଼ ପ୍ରଶ୍ନ ଠିଆ କରିଛି। ପାରିବାରିକ କିମ୍ବା ଗ୍ରାମ୍ୟ ବିବାଦ ପାଇଁ କ’ଣ ଜଣେ ମୃତ ବ୍ୟକ୍ତିଙ୍କୁ ଶେଷ ସମ୍ମାନରୁ ବଞ୍ଚିତ କରାଯାଇପାରିବ? ଏଭଳି ପ୍ରଶ୍ନ ଏବେ ସାମ୍ନାକୁ ଆସିଛି। ଘଟଣାରେ ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରି ମୃତଦେହର ସତ୍କାର ବ୍ୟବସ୍ଥା କରିବା ସହ ପୂର୍ବରୁ ରହିଥିବା ବିବାଦର ସମାଧାନ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial