ଅକ୍ଷର ବ୍ୟୁରୋ: ଚାଷୀଙ୍କ ଉପରେ ପଡ଼ିଛି ଦୁଇଗୁଣା ଦାଉ। ପ୍ରଥମେ ଲଘୁଚାପଜନିତ ବର୍ଷା ନଷ୍ଟ କରିଦେଲା ଅଧା ପରିବା ଫସଲ। ଯାହା କିଛି ବଞ୍ଚିଥିଲା, ତାକୁ ବି ଉଜାଡ଼ି ଦେଲେ ଜଙ୍ଗଲୀ ହାତୀପଲ। ଏକର ଏକର ପରିବା କ୍ଷେତରେ ପଶି ଗଛ ଦଳି ଫସଲ ନଷ୍ଟ କରିଦେଇଛନ୍ତି ହାତୀ। ଏଭଳି ଦୁଃଖଦ ଘଟଣା କଟକ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ମାଧପୁର ଅଞ୍ଚଳରୁ ସାମ୍ନାକୁ ଆସିଛି।
ଗତକାଲି ରାତିରେ ହଠାତ୍ ଏକ ଜଙ୍ଗଲୀ ହାତୀପଲ ମାଧପୁର ଅଞ୍ଚଳର ଚାଷ ଜମି ଭିତରକୁ ପଶିଥିଲେ। ଦେଖୁ ଦେଖୁ କ୍ଷେତରେ ଚାଷୀଙ୍କ ମାସ ମାସର ପରିଶ୍ରମ ମାଟିରେ ମିଶିଯାଇଥିଲା। ହାତୀପଲ ଗଛ ଦଳିବା ସହ ବିଭିନ୍ନ ପରିବା ଫସଲ ନଷ୍ଟ କରିଦେଇଥିଲେ। ମାଧପୁର ଅଞ୍ଚଳର ଚାଷୀମାନେ କାକୁଡ଼ି, ଝୁଡ଼ଙ୍ଗ, କଲରା, ଜହ୍ନି ଭଳି ବିଭିନ୍ନ ପରିବା ଚାଷ କରିଥିଲେ। ଲଘୁଚାପଜନିତ ବର୍ଷାରେ ପୂର୍ବରୁ ଫସଲର ବଡ଼ ଭାଗ ନଷ୍ଟ ହୋଇସାରିଥିଲା। ତଥାପି ବଳକା ଫସଲକୁ ନେଇ ଚାଷୀମାନେ ଆଶା ବାନ୍ଧିଥିଲେ।
କିନ୍ତୁ ରାତିରେ ହାତୀପଲଙ୍କ ଉପଦ୍ରବ ସେହି ଆଶାକୁ ବି ଧୂଳିସାତ୍ କରିଦେଇଛି। କେଉଁଠି ଗଛ ଉପୁଡ଼ି ପଡ଼ିଛି ତ ଆଉ କେଉଁଠି ଫସଲ ମାଟିରେ ମିଶିଯାଇଛି। ସକାଳୁ କ୍ଷେତକୁ ଯାଇ ଏଭଳି ଦୃଶ୍ୟ ଦେଖି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ବର୍ଷାରେ ଫସଲ ଗଲା, ଏବେ ହାତୀ ଦାଉରେ ବଳକା ଫସଲ ବି ଗଲା। ଏବେ ଚାଷୀଙ୍କ ଚିନ୍ତା ବଢ଼ିଛି। କ୍ଷତିଗ୍ରସ୍ତ ଚାଷୀମାନେ ସରକାର ଓ ବନ ବିଭାଗ ନିକଟରେ କ୍ଷତିପୂରଣ ସହ ହାତୀ ଉପଦ୍ରବର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି। ମାଧପୁର ଅଞ୍ଚଳରେ ବାରମ୍ବାର ହାତୀପଲ ଚାଷ ଜମିକୁ ପଶୁଥିବାରୁ ଏହାକୁ ରୋକିବା ପାଇଁ ବନ ବିଭାଗ କେବେ ଏବଂ କି ପଦକ୍ଷେପ ନେଉଛି, ତାହା ଏବେ ବଡ଼ ପ୍ରଶ୍ନ। ଚାଷୀଙ୍କ ପରିଶ୍ରମ ଓ ଫସଲକୁ ହାତୀ ଦାଉରୁ କେବେ ମିଳିବ ସୁରକ୍ଷା? ଏବେ ଏହା ଉପରେ ସମସ୍ତଙ୍କ ନଜର।














Leave a Reply