ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ବେଳେ ମାଡ଼ଗୋଳ! ଦର୍ଶନକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

ପୁରୀ: ଶ୍ରୀମନ୍ଦିର ଭିତରେ ମାଡ଼ଗୋଳକୁ ନେଇ ଚର୍ଚ୍ଚା । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଚାଲିଥିବା ସମୟରେ ଦୁଇପକ୍ଷଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିବା ବେଳେ ପରେ ଘଟଣା ମାଡ଼ଗୋଳ ପର୍ଯ୍ୟନ୍ତ ଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ମଙ୍ଗଳ ଆଳତୀ ସମୟରେ ଦର୍ଶନକୁ ନେଇ କୌଣସି ଏକ କଥାକୁ କେନ୍ଦ୍ର କରି ଦୁଇପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଜଣେ ଯୁବତୀଙ୍କୁ ସ୍ଥାନୀୟ ଜଣେ ବ୍ୟକ୍ତି ଜାବୁଡ଼ା ମାରିଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି ।

ଏହି ଅଭିଯୋଗ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଥିଲା ଏବଂ ଘଟଣା ମାଡ଼ଗୋଳର ରୂପ ନେଇଥିବା କୁହାଯାଉଛି । ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନରେ ମଙ୍ଗଳ ଆଳତୀ ଭଳି ଧାର୍ମିକ ନୀତି ଚାଲିଥିବା ସମୟରେ ଏଭଳି ଘଟଣାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣା ପରେ ସିଂହଦ୍ୱାର ଥାନା ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ନେଇ ଅଟକ ରଖିଛି । ସେଠାରେ ଉଭୟ ପକ୍ଷଙ୍କୁ ପଚରାଉଚରା କରାଯାଉଛି । ଦର୍ଶନକୁ ନେଇ ବିବାଦର ପ୍ରକୃତ କାରଣ କ’ଣ ଏବଂ କାହାର ଭୁଲ୍‌ରୁ ଘଟଣାର ସୂତ୍ରପାତ ହେଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ମଧ୍ୟରେ ଏଭଳି ଘଟଣାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial