ସ୍ପାଇସଜେଟ୍ ବିମାନ ୧୭ ଘଣ୍ଟା ବିଳମ୍ବ, ଅମୃତସର ବିମାନବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା

ଅମୃତସର: ବିମାନ ବିଳମ୍ବକୁ ନେଇ ଅମୃତସର ବିମାନବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା । ଶନିବାର ଅମୃତସରର ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇ ଯିବାକୁ ଥିବା ସ୍ପାଇସଜେଟ୍‌ର ବିମାନ ପ୍ରାୟ ୧୭ ଘଣ୍ଟା ବିଳମ୍ବ ହେବା ପରେ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।

ସୂଚନା ଅନୁଯାୟୀ, ବିମାନଟି ଶନିବାର ସକାଳ ପ୍ରାୟ ୮:୪୦ରେ ଅମୃତସରରୁ ଦୁବାଇ ଉଡ଼ାଣ କରିବାର ଥିଲା । ପ୍ରଥମେ ଉଡ଼ାଣ ସମୟକୁ ପୂର୍ବାହ୍ନ ୧୧ଟାକୁ ପୁନଃନିର୍ଦ୍ଧାରଣ କରାଯାଇଥିଲା । ପରେ ଯାତ୍ରୀମାନଙ୍କୁ ଆହୁରି ପ୍ରାୟ ୧୭ ଘଣ୍ଟା ବିଳମ୍ବ ହେବା ନେଇ ସୂଚନା ଦିଆଯାଇଥିଲା । ଫଳରେ ଦୀର୍ଘ ସମୟ ଧରି ବିମାନବନ୍ଦରରେ ଅପେକ୍ଷା କରି କରି ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।

ସୂତ୍ର ଅନୁସାରେ, ବିମାନର ନୂଆ ପ୍ରସ୍ଥାନ ସମୟ ରବିବାର ଭୋର ପ୍ରାୟ ୨ଟା ୧୫ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଥିଲା । ତେବେ ବିମାନ ବିଳମ୍ବର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିଳମ୍ବକୁ ନେଇ ବିମାନବନ୍ଦରରେ ଅପେକ୍ଷା କରୁଥିବା ଯାତ୍ରୀମାନେ ବିମାନ କମ୍ପାନି ବିରୋଧରେ ଅସନ୍ତୋଷ ଜାହିର କରିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ବିମାନ ବିଳମ୍ବ ସମ୍ପର୍କରେ ସମୟୋଚିତ ଓ ସ୍ପଷ୍ଟ ସୂଚନା ମିଳିନଥିଲା । ଏପରିକି ଦୀର୍ଘ ବିଳମ୍ବ ସତ୍ତ୍ୱେ ରିଫଣ୍ଡ, ବିକଳ୍ପ ବିମାନ, ଟିକେଟ୍ କିମ୍ବା ରହଣି ବ୍ୟବସ୍ଥା ନେଇ ମଧ୍ୟ ସ୍ପଷ୍ଟତା ନଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।

ଏହି ସମୟରେ ଯାତ୍ରୀମାନଙ୍କ ଦ୍ୱାରା ସୁଟ୍ କରାଯାଇଥିବା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଯାତ୍ରୀମାନେ ବିମାନବନ୍ଦରରେ ଦୀର୍ଘ ସମୟ ଧରି ବିମାନ ପାଇଁ ଅପେକ୍ଷା କରୁଥିବା ଦେଖାଯାଇଛି । ଅନ୍ୟପଟେ, ଦୀର୍ଘ ସମୟର ବିମାନ ବିଳମ୍ବ ସ୍ଥିତିରେ ଯାତ୍ରୀଙ୍କ ଅଧିକାର ଓ ସୁବିଧା ନେଇ ଡିଜିସିଏ ନିୟମାବଳୀ ଅନୁସାରେ ପ୍ରଯୁଜ୍ୟ ବ୍ୟବସ୍ଥା ରହିଛି ବୋଲି ଯାତ୍ରୀମାନେ ଦାବି କରିଛନ୍ତି । ତେବେ ଏହି ଘଟଣାରେ ବିମାନବନ୍ଦର କର୍ତ୍ତୃପକ୍ଷ କିମ୍ବା ସ୍ପାଇସଜେଟ୍ ପକ୍ଷରୁ ବିଳମ୍ବର ପ୍ରକୃତ କାରଣ ନେଇ ଅଧିକାରିକ ସୂଚନା ମିଳିବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial