ପାରାଦୀପ ବନ୍ଦରରେ ନୂଆ ରେକର୍ଡ! ପ୍ରଥମଥର WD-1ରେ ଲାଗିଲା ୧୬.୫ ମିଟର ଡ୍ରାଫ୍ଟର ବିଶାଳ Capesize ଜାହାଜ

ପାରାଦୀପ: ପାରାଦୀପ ବନ୍ଦରରେ ଯୋଡ଼ି ହୋଇଛି ଆଉ ଏକ ନୂଆ ରେକର୍ଡ। ପ୍ରଥମଥର ପାଇଁ ୧୬.୫ ମିଟର ଡ୍ରାଫ୍ଟ ଥିବା ଏକ ବିଶାଳ Capesize ଜାହାଜ ପାରାଦୀପ ବନ୍ଦରର Western Dock-1 (WD-1)ରେ ସଫଳତାର ସହ ବର୍ଥିଂ କରିଛି। ଏହାଦ୍ୱାରା ଏଣିକି ଅଧିକ ମାଲ୍ ନେଇ ଆସୁଥିବା ବଡ଼ ଜାହାଜକୁ ୱେଷ୍ଟର୍ଣ୍ଣ ଡକ୍‌ରେ ରଖି ମାଲ୍ ଖଲାସ କରିବାର ସୁଯୋଗ ଆହୁରି ବଢ଼ିଛି। MV Mineral Kwangyang ନାମକ ଏହି ବିଶାଳ Capesize ଜାହାଜର ଲମ୍ବ ୨୯୨ ମିଟର। ଅଷ୍ଟ୍ରେଲିଆର Hay Pointରୁ ଏହା ୧ ଲକ୍ଷ ୫୨ ହଜାର ୭୦୨ ମେଟ୍ରିକ୍ ଟନ୍ କୋକିଂ କୋଇଲା ନେଇ ପାରାଦୀପରେ ପହଞ୍ଚିଛି। ଜାହାଜଟିକୁ Western Dock-1 ବା WD-1ରେ ସଫଳତାର ସହ ବର୍ଥିଂ କରାଯାଇଛି। ଏହି ସଫଳତା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ଟିମ୍ PPA ଓ ଟିମ୍ JPPLକୁ ଅଭିନନ୍ଦନ ଜଣାଇଛନ୍ତି। Capesize ହେଉଛି ସମୁଦ୍ରରେ ଚାଲୁଥିବା ଅତି ବଡ଼ ମାଲବାହୀ ଜାହାଜ। ଏଗୁଡ଼ିକର ଆକାର ଏତେ ବଡ଼ ଯେ ସାଧାରଣତଃ Suez Canal ଓ Panama Canal ଦେଇ ଯାଇପାରନ୍ତି ନାହିଁ। ଏଭଳି ଜାହାଜରେ ଥରକେ ପ୍ରାୟ ଦେଢ଼ରୁ ୨ ଲକ୍ଷ ଟନ୍ ପର୍ଯ୍ୟନ୍ତ କୋଇଲା କିମ୍ବା ଲୁହାପଥର ଭଳି ସାମଗ୍ରୀ ପରିବହନ କରାଯାଇପାରେ। ଜାହାଜଟି ପାଣି ଭିତରେ କେତେ ଗଭୀର ପର୍ଯ୍ୟନ୍ତ ବୁଡ଼ି ରହିଛି, ତାହାକୁ ଡ୍ରାଫ୍ଟ କୁହାଯାଏ। ଜାହାଜରେ ମାଲ୍ ଯେତେ ଅଧିକ ରହିବ, ଏହା ପାଣିରେ ସେତେ ଅଧିକ ଗଭୀରକୁ ଯିବ।

ତେଣୁ ୧୬.୫ ମିଟର ଡ୍ରାଫ୍ଟ ଅର୍ଥ ଜାହାଜର ତଳ ଭାଗ ପାଣି ଭିତରେ ପ୍ରାୟ ୧୬.୫ ମିଟର ଗଭୀରରେ ରହିଛି। ଏତେ ଗଭୀର ଡ୍ରାଫ୍ଟର ବିଶାଳ ଜାହାଜକୁ WD-1ରେ ସୁରକ୍ଷିତ ଭାବେ ବର୍ଥିଂ କରାଯିବା ପାରାଦୀପ ବନ୍ଦର ପାଇଁ ଏକ ବଡ଼ ଉପଲବ୍ଧି ବୋଲି ଧରାଯାଉଛି। Western Dockକୁ ବିଶେଷ ଭାବେ ବଡ଼ ଓ ଗଭୀର ଡ୍ରାଫ୍ଟ ଥିବା ଜାହାଜର dry-bulk cargo ପରିଚାଳନା ପାଇଁ ବିକଶିତ କରାଯାଇଛି। ବନ୍ଦରରେ ଦୀର୍ଘଦିନ ଧରି ଡ୍ରେଡିଂ, ବ୍ରେକ୍‌ୱାଟର ଓ ଡକ୍‌ ଡେଭଲପମେଣ୍ଟ ଭଳି କାମ ଚାଲିଥିଲା। ଏବେ ପ୍ରଥମଥର ପାଇଁ ୧୬.୫ ମିଟର ଡ୍ରାଫ୍ଟର Capesize ଜାହାଜ WD-1ରେ ସଫଳତାର ସହ ବର୍ଥିଂ କରିବା ଏହି ଭିତ୍ତିଭୂମି ବିକାଶର ଏକ ବଡ଼ ପରୀକ୍ଷା ଓ ସଫଳତା ବୋଲି ଧରାଯାଉଛି। ଏହା ଫଳରେ ଆଗାମୀ ଦିନରେ ବଡ଼ ଜାହାଜ ମାଧ୍ୟମରେ ଅଧିକ ପରିମାଣର dry-bulk cargo ପରିଚାଳନା କରିବାର ସୁଯୋଗ ଆହୁରି ବଢ଼ିପାରେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial