ଯାଜପୁର: ସ୍କୁଲକୁ ପିଲାମାନଙ୍କୁ ଛାଡ଼ିବାକୁ ଯାଉଥିବା ବେଳେ ଅଘଟଣ। ଦ୍ରୁତଗାମୀ କାର୍ ଧକ୍କାରେ ବାଇକ୍ରେ ଯାଉଥିବା ବାପା, ତାଙ୍କ ପୁଅ-ଝିଅଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ଯାଜପୁର ବ୍ଲକ ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ମନ୍ଦିର ନିକଟରେ ଥିବା ସରସ୍ୱତୀ ଶିଶୁ ମନ୍ଦିରକୁ ପିଲାମାନଙ୍କୁ ଛାଡ଼ିବାକୁ ଯାଉଥିବା ସମୟରେ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଅଭିଭାବକ ଅଶୋକ ସାହୁ ନିଜ ପୁଅ ଆଶୀଷ ସାହୁ, ଝିଅ ଆଦ୍ୟାଶା ସାହୁ ଏବଂ ଅନ୍ୟ ଜଣେ ଛାତ୍ର ସାଇଲ ଓଝାଙ୍କୁ ଏକ ବାଇକ୍ ଯୋଗେ ବିଦ୍ୟାଳୟ ନେଇ ଯାଉଥିଲେ। ମୂଳାପାଳ ନିକଟରେ ଜାତୀୟ ରାଜପଥ ଉପରେ ଏକ କାର୍ ଦ୍ରୁତ ଗତିରେ ଆସି ବାଇକ୍କୁ ଧକ୍କା ଦେଇଥିଲା।
କାର୍ ଧକ୍କାରେ ବାଇକ୍ରେ ଥିବା ସମସ୍ତେ ରାସ୍ତା ଉପରେ ପଡ଼ିଯାଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସେମାନେ ଆହତ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ସହାୟତା ପାଇଁ ଆଗେଇ ଆସିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଶୋକ ସାହୁ, ତାଙ୍କ ପୁଅ ଆଶୀଷ ସାହୁ, ଝିଅ ଆଦ୍ୟାଶା ସାହୁ ଏବଂ ଛାତ୍ର ସାଇଲ ଓଝାଙ୍କୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍କୁଲକୁ ପିଲାମାନଙ୍କୁ ନେଇ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିବା ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।















Leave a Reply