ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିଲା ପିକ୍ଅପ୍, ଡିଭାଇଡରରେ ପିଟି ଓଲଟିଲା; ୬ ମୃତ, ୩୦ ଆହତ

ଅକ୍ଷର ବ୍ୟୁରୋ: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସ୍ୱେରେ ଭୟଙ୍କର ସଡ଼କ ଦୁର୍ଘଟଣା। ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ପିକ୍ଅପ୍ ଗାଡ଼ି ଡିଭାଇଡରରେ ଧକ୍କା ଦେଇ ଓଲଟି ପଡ଼ିବାରୁ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୩୦ ଜଣ ଆହତ ହୋଇଥିବାବେଳେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଥିବା ଜଣାପଡ଼ିଛି। ଘଟଣାଟି ଖେକଡ଼ା ଥାନା ଅଧୀନ ବଡ଼ାଗାଁ କଟ୍ ନିକଟରେ ରାତି ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ଘଟିଥିଲା। ଗାଡ଼ିରେ ଥିବା ଶ୍ରଦ୍ଧାଳୁମାନେ ରାଜସ୍ଥାନରୁ ଉତ୍ତରପ୍ରଦେଶର ବଦାୟୁଁ ଅଭିମୁଖେ ଯାଉଥିଲେ। ବଡ଼ାଗାଁ କଟ୍ ନିକଟରେ ହଠାତ୍ ଗାଡ଼ିଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ଧକ୍କା ଦେଇଥିଲା। ଧକ୍କା ପରେ ପିକ୍ଅପ୍ ଓଲଟି ପଡ଼ିବାରୁ ଏଥିରେ ଥିବା ଯାତ୍ରୀମାନେ ଫସି ଯାଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଶୁଣାଯାଇଥିଲା। ପୋଲିସ ଓ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗି ଗାଡ଼ି ଭିତରେ ଫସିଥିବା ଲୋକଙ୍କୁ ବାହାର କରିଥିଲେ।

ଦୁର୍ଘଟଣାର ସୂଚନା ପାଇବା ପରେ ଖେକଡ଼ା ଥାନା ପୋଲିସ ସହିତ ୪ଟି PRV ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ତୁରନ୍ତ CHC ଖେକଡ଼ା, CHC ବାଗପତ ଓ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଆହତମାନଙ୍କ ଚିକିତ୍ସା ଚାଲିଛି। ଗୁରୁତର ଆହତଙ୍କ ଚିକିତ୍ସାକୁ ନେଇ ଡାକ୍ତରୀ ଟିମ୍ ନଜର ରଖିଛନ୍ତି। ଉଦ୍ଧାର କାର୍ଯ୍ୟ ପରେ ପୋଲିସ ଏକ୍ସପ୍ରେସ୍ୱେରେ ଯାତାୟାତ ବ୍ୟବସ୍ଥାକୁ ସ୍ୱାଭାବିକ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହାସହ ମୃତକ ଓ ଆହତଙ୍କ ପରିଚୟ ନିର୍ଣ୍ଣୟ କରାଯିବା ସହ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ ଉଦ୍ୟମ ଜାରି ରହିଛି। ଏଥିପାଇଁ ପୋଲିସ ପକ୍ଷରୁ ୯୪୫୪୪୧୭୩୮୩ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଦୁର୍ଘଟଣାକୁ ନେଇ ଅଧିକ ତଥ୍ୟ ସଂଗ୍ରହ ସହ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial