ଭଦ୍ରକ: ବୈତରଣୀ ନଦୀବନ୍ଧରେ ସୃଷ୍ଟି ହୋଇଛି ପ୍ରାୟ ୩୦୦ ଫୁଟ୍ ଲମ୍ବର ଫାଟ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁର ଗାଁ ନିକଟରେ ନଦୀବନ୍ଧରେ ଏଭଳି ଫାଟ ସୃଷ୍ଟି ହେବା ସହ ଏହାର କିଛି ଅଂଶ ପ୍ରାୟ ୨ ଫୁଟ୍ ତଳକୁ ଧସିଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗାଁର ୨୪ଟି ପରିବାରଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ନଦୀବନ୍ଧର ସ୍ଥିତି ଶୀଘ୍ର ଯାଞ୍ଚ କରି ଆବଶ୍ୟକ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ ୨ରୁ ୩ ଦିନ ହେବ ନଦୀବନ୍ଧରେ ଫାଟ ଦେଖାଦେବା ସହ ବାରମ୍ବାର ମାଟି ଅତଡ଼ା ଧସୁଛି। ଫଳରେ ନଦୀବନ୍ଧର ସ୍ଥିତିକୁ ନେଇ ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଯଦି ସମୟୋଚିତ ପଦକ୍ଷେପ ନିଆନଯାଏ, ତେବେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ ବୋଲି ସେମାନେ ଚିନ୍ତା ପ୍ରକାଶ କରିଛନ୍ତି।
ଅଭିଯୋଗ ପରେ ବି ପଦକ୍ଷେପ ନେଇନଥିବା ଅଭିଯୋଗ
ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏଯାଏଁ କେହି ଘଟଣାସ୍ଥଳକୁ ଆସିନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନଦୀବନ୍ଧରେ ଦେଖାଦେଇଥିବା ଫାଟ ଓ ମାଟି ଧସିବା ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି ଜଣାଇଛନ୍ତି।
ଜଳସମ୍ପଦ ବିଭାଗର ହସ୍ତକ୍ଷେପ ଦାବି
ବୈତରଣୀ ନଦୀବନ୍ଧର ସ୍ଥିତି ଯାଞ୍ଚ କରିବା ସହ ଫାଟ ସୃଷ୍ଟି ହେବାର କାରଣ ଚିହ୍ନଟ କରିବାକୁ ଅଞ୍ଚଳବାସୀ ଜଳସମ୍ପଦ ବିଭାଗର ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ବିପଦ ଆଶଙ୍କା ଥିବା ଅଂଶରେ ତୁରନ୍ତ ମରାମତି କରିବାକୁ ଦାବି ହୋଇଛି। ନଦୀବନ୍ଧର ପ୍ରକୃତ ସ୍ଥିତି ଯାଞ୍ଚ ପରେ ଆବଶ୍ୟକ ପଦକ୍ଷେପ ନିଆଗଲେ ସୁନ୍ଦରପୁର ଗାଁର ୨୪ଟି ପରିବାରଙ୍କ ସୁରକ୍ଷା ସମ୍ପର୍କିତ ଆଶଙ୍କା ଦୂର ହୋଇପାରିବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି।












Leave a Reply