ଦେବସ୍ନାନ ପୂର୍ଣ୍ଣିମା ଲାଗି ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼; AI କ୍ୟାମେରା ନଜରରେ ପୁରୀ ସହର।

ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼। ଭକ୍ତଙ୍କ ଗହଳିକୁ ଦେଖି ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା। AI କ୍ୟାମେରା ନଜରରେ ପୁରୀ ସହର। ଶ୍ରୀକ୍ଷେତ୍ର ସୁରକ୍ଷାରେ ୭୦ ପ୍ଲାଟୁନ୍ ଫୋର୍ସ। ଭକ୍ତିମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡ ଏକପ୍ରକାର ଲୋକାରଣ୍ୟ ହୋଇଛି। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦିରେ ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ମହାପ୍ରଭୁଙ୍କ ଏହି ଦିବ୍ୟ ଦର୍ଶନ କରିବାକୁ ପୁରୀରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡ଼ିଛନ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ସହ ଭକ୍ତଙ୍କୁ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି। ଆଇନଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଭୋର ୪.୩୦ରେ ମଙ୍ଗଳାର୍ପଣ, ଭୋର ୫ଟାରେ ଧାଡ଼ି ପହଣ୍ଡି କରାଯାଇଥିଲା। ସକାଳ ୯ଟାରେ ମଙ୍ଗଳଆଳତି ପରେ ଅନ୍ୟାନ୍ୟ ନୀତି ହେବ। ଅପରାହ୍ନ ୩ଟା ୩୦ରେ ଛେରାପହଁରା, ୪ଟା ୩୦ରେ ହାତୀବେଶ ଅନୁଷ୍ଠିତ ହେବ। ରାତି ୧୧ଟାରେ ହାତୀବେଶ ମଇଲମ କରାଯିବ। ଆଜି ମହାପ୍ରଭୁଙ୍କ ସେବାରେ ଏକତ୍ରିତ ହୁଅନ୍ତି ସମସ୍ତ ସେବାୟତ। ଦତ୍ତ ମହାପ୍ରଭୁଙ୍କଠାରୁ ଆରମ୍ଭ କରି ଗରାବଡ଼ୁ, ଦଇତାଙ୍କ ଯାଏଁ ସମସ୍ତେ ଏକାଠି ବଡ଼ ଦିଅଁଙ୍କ ପାଖରେ ସେବା ଅର୍ପଣ କରନ୍ତି। ଜ୍ୟେଷ୍ଠ ପୂର୍ଣ୍ଣିମା, ମହାପ୍ରଭୁଙ୍କ ଆବିର୍ଭାବର ଦିନ। ତେଣୁ ଆଜି ଯେଉଁ କର୍ମ ଆରମ୍ଭ କଲେ ସବୁ ହୋଇଯାଏ ପବିତ୍ର।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)