ଅକ୍ଷର ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ହେବାକୁ ମାତ୍ର ସପ୍ତାହେ ବାକି । ଛାମୁଆଙ୍କ ପରେ ଏବେ ମୁଖିଆଙ୍କ ପାଳି । ଆସନ୍ତାକାଲି ପ୍ରଚାରକୁ ଯିବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କୋମନାର ତରବୋଡରେ ଜନସଭା କରିବେ । ୭ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇପାରନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସାଲେଭଟାରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କ ପାଇଁ ପ୍ରଚାର କରିବେ । ବିଜେପି ପ୍ରାର୍ଥୀଙ୍କ ପାଇଁ ଦ୍ୱିତୀୟ ଥର ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶେଷ ପର୍ଯ୍ୟାୟରେ ଅର୍ଥାତ୍ ୬ରୁ ୮ ତାରିଖ ପର୍ଯ୍ୟନ୍ତ ସେ ନୂଆପଡ଼ାରେ ପ୍ରଚାର କରିବେ । ଏପଟେ ଆଜି କେନ୍ଦୁପତ୍ର ତୋଳାଳିଙ୍କୁ ମନାଇବା ପାଇଁ ବିଜେପି କରିଛି ସମାବେଶ ।
ନୂଆପଡାରେ ଭୋଟରଙ୍କୁ ନିଜ ଆଡ଼କୁ ଆଣିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ଜାରି ରଖିଛନ୍ତି ରାଜନୈତିକ ଦଳ । କେନ୍ଦୁପତ୍ର ତୋଳାଳିଙ୍କ ଭୋଟ ଉପରେ ଆଖି ପକାଇଛି ବିଜେପି । ନୂଆପଡାର ସାରବଙ୍ଗରେ ଉପମୁଖ୍ୟମନ୍ତ୍ରୀ କେ.ଭି .ସିଂଦେଓ ଓ ଅନ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପି କରିଛି ସମାବେଶ । ଏଠାରେ ୩୨ ହଜାର କେନ୍ଦୁପତ୍ର ତୋଳାଳି ଅଛନ୍ତି ଓ ଏମାନଙ୍କ ଭୋଟ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । ବିଜେଡି ନୂଆପଡ଼ା ସୀମାନ୍ତ ଅଞ୍ଚଳରେ ମାରାଥନ ସମାବେଶ କରିଛି । କଂଗ୍ରେସ ବି ନୂଆପଡାରୁ ଖରିଆର ରୋଡ ଯାଏଁ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିଛି । ଆସନ୍ତା ରବିବାର ନୂଆପଡ଼ାରେ ପ୍ରଚାର ସରିବ । ମଙ୍ଗଳବାର ଅର୍ଥାତ ୧୧ ତାରିଖରେ ପଡ଼ିବ ଭୋଟ ।












Leave a Reply