ଧାନ ସଂଗ୍ରହ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଦ୍ୱିଗୁଣିତ ସ୍ପିଡ଼ରେ ଚାଲିଛି: ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଅକ୍ଷର ବ୍ୟୁରୋ: ଧାନ ସଂଗ୍ରହ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଦ୍ୱି ଗୁଣିତ ସ୍ପିଡ଼ରେ ଚାଲିଛି । କିଛି ଲୋକଙ୍କୁ ତଥାପି ଅବାଗିଆ ଲାଗୁଚି । ସେମାନଙ୍କୁ ଆନ୍ଦୋଳନ କରିବାକୁ ଭଲ ଲାଗୁଛି । ମୁଁ ସେମାନଙ୍କୁ ଆନ୍ଦୋଳନଜିବୀ କହିବି । କିନ୍ତୁ ଚାଷୀ ଆମ ସହ ଅଛନ୍ତି । ନଚେତ୍ ଏତେ ସୁରୁଖୁରୁରେ ଧାନ ସଂଗ୍ରହ ହୋଇପାରିନଥାନ୍ତା ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଧାନ ସଂଗ୍ରହ ସ୍ଥିତି କଣ ରହିଛି ସେନେଇ ଏକ ରିଭ୍ୟୁ ମିଟିଂ କରାଯାଇଥିଲା । ଗତ ବର୍ଷ ଠାରୁ ଚଳିତ ବର୍ଷ ଏହି ସମୟ ସୁଦ୍ଧା ଡବଲ ଧାନ ଉଠାଯାଇଛି । ଟୋକନ ମଧ୍ୟ ଡବଲ ଦିଆଯାଇଛି । ଗତବର୍ଷ ଏହି ସମୟରେ ୧୭ ଲକ୍ଷ ୫୦ ହଜାର କୃଷକ ପଞ୍ଜିକରଣ କରିଥିଲେ । ଏବର୍ଷ ୧୯ ଲକ୍ଷ ୬୮ ହଜାର କୃଷକ ପଞ୍ଜିକରଣ କରିଛନ୍ତି । ଗତ ବର୍ଷ ୫୮ ଲକ୍ଷ ଏକର ପଞ୍ଜିକରଣ ହୋଇଥିଲା । ଏବର୍ଷ ୬୧.୬୭ ଲକ୍ଷ ଏକର ପଞ୍ଜିକରଣ ହୋଇଛି । ସେହିପରି ଗତ ବର୍ଷ ଏହି ସମୟ ସୁଦ୍ଧା ଟୋକନ ଇସ୍ୟୁ ହୋଇଥିଲା ୪ ଲକ୍ଷ ୭ ହଜାର , ହେଲେ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୪୧ ହଜାର ଟୋକନ ଇସ୍ୟୁ ହୋଇସାରିଲାଣି । ଗତ ବର୍ଷ ଏହି ସମୟରେ ସୁଦ୍ଧା ୩ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଛନ୍ତି ସରକାର । ଗତ ବର୍ଷ ୬୦ ହଜାର ଚାଷୀ ଧାନ ବିକିଥିଲେ, କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଚାଷୀ ଧାନ ବିକି ସାରିଲାଣି ।

ସେହିପରି ବରଗଡ଼ରେ ୧ ଲକ୍ଷ ୮୦ ହଜାର ୭୮୫ମେଟ୍ରିକ ଟନ ଧାନ ସଂଗ୍ରହ ସାରିଲାଣି। ସମ୍ବଲପୁରରେ ୧ ଲକ୍ଷ ୩୪ ହଜାର ୭୧୮ ମେଟ୍ରିକ ଟନ ଧାନ ଉଠି ସାରିଲାଣି। କଳାହାଣ୍ଡି ୯୦ ହଜାର, ନୂଆପଡା ୫୭ ହଜାର ମେଟ୍ରିକ ଟନ ଧାନ ଉଠିଲାଣି। ସବୁ ଜିଲ୍ଲା ରେ ସୁରୁଖୁରୁରେ ଧାନ ସଂଗ୍ରହ ଚାଲିଛି। କୌଣସି ବିଭ୍ରାନ୍ତି କର ତଥ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ । କାଲିର ବୈଠକ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହୋଇଥିଲା ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ । ବିଭିନ୍ନ ଜିଲ୍ଲାରେ କେମିତି ଚାଲିଛି ଧାନ ସଂଗ୍ରହ ପ୍ରକ୍ରିୟା ମୁଖ୍ୟମନ୍ତ୍ରୀ ତାର ସମୀକ୍ଷା କରିବେ । ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଧ୍ୟ ସେଠାରେ ଉପସ୍ଥିତ ରହିବେ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)