ଏଥର ଆନନ୍ଦବଜାରରେ ମିଳିବ ଜୈବିକ ଅନ୍ନରୁ ପ୍ରସ୍ତୁତ ଅବଢ଼ା

ପୁରୀ : ଅବଢ଼ାକୁ ରସାୟନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଶ୍ରୀମନ୍ଦିରର ମହାପ୍ରସାଦରେ ଜୈବିକ ଚାଉଳ ଏବଂ ପନିପରିବାର ବ୍ୟବହାର ନିଷ୍ପତ୍ତିକୁ ସୁଆର-ମହାସୁଆର ନିଯୋଗ ତଥା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଛି । ଏଥି ସହ ଶ୍ରୀଗୁଣ୍ଡିଚା ସମୟରେ ସମ୍ପୂର୍ଣ୍ଣ ଲାଗି ହେଉଥିବା ଭୋଗରେ ଜୈବିକ ଚାଉଳ ଓ ପନିପରିବା ବ୍ୟବହାର ହେବା ପାଇଁ ପ୍ରସ୍ତାବ ରହିଛି । ‘ଅମୃତ ଅନ୍ନ’ ନାମରେ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଜୈବିକ ଅନ୍ନରୁ ପ୍ରସ୍ତୁତ ମହାପ୍ରସାଦ ଆନନ୍ଦବଜାରରେ ଭକ୍ତଙ୍କ ପାଇଁ ଉପଲବ୍ଧ ହେବ । ଏଥି ପାଇଁ ଆନନ୍ଦବଜାରରେ ଏକ ସ୍ୱତନ୍ତ୍ର‌ କାଉଣ୍ଟର ଖୋଲାଯିବାର ପ୍ରସ୍ତାବ ରହିଛି । ପ୍ରାରମ୍ଭିକ ଭାବେ ରାଜ୍ୟରେ ଉତ୍ପାଦିତ ହେଉଥିବା କଳାଜୀରା, ପିମ୍ପୁଡ଼ିବାସ, ଯୁବରାଜ ଆଦି ଜୈବିକ ଚାଉଳ ଦେଶୀୟ ପ୍ରଜାତିର ଜୈବିକ ଧାନ ଏହି ‘ଅମୃତ ଅନ୍ନ’ ମହାପ୍ରସାଦରେ ବ୍ୟବହୃତ ହେବ | ସୂଚନା ଅନୁସାରେ ଶ୍ରୀମହାପ୍ରସାଦ ପ୍ରସ୍ତୁତିରେ ଜୈବିକ ଚାଉଳର ବ୍ୟବହାର ନେଇ ବୁଧବାର ଏକ ପରାମର୍ଶ ବୈଠକ କୃଷି ଭବନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମହାପ୍ରସାଦରେ ଜୈବିକ ଚାଉଳର ବ୍ୟବହାର ନେଇ ଆଲୋଚନା ହୋଇଥିଲା । ଏହି ନିଷ୍ପତ୍ତିକୁ ସୁଆର ମହାସୁଆର ନିଯୋଗ ସ୍ବାଗତ ଜଣାଇଛି ।

ଏଥି ସହ କୃଷକ ଉତ୍ପାଦକ ସଂଗଠନ ମାନଙ୍କୁ କ୍ଲଷ୍ଟର ଆପ୍ରୋଚ୍‌ ମାଧ୍ୟମରେ ଜୈବିକ ଚାଉଳ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯିବ ଏବଂ ସଂପୂର୍ଣ୍ଣ ପ୍ରକ୍ରିୟାକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବାକୁ ଏକ ପରିଚାଳନା କମିଟି ଗଠନ କରାଯିବ । ସେହି କମିଟିରେ ଶ୍ରୀମନ୍ଦିର ପ୍ରଶାସନ, ସୁଆର-ମହାସୁଆର ନିଯୋଗ ପ୍ରତିନିଧିଙ୍କ ସମେତ ଅନ୍ୟ ଉତ୍ପାଦକ ଗୋଷ୍ଠୀର ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ସଦସ୍ୟ ରହିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)